Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଭୟଙ୍କର ହେଉଛି ‘ଓମିକ୍ରନ’: ଓଡ଼ିଶାରୁ ୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଦ କୁଇଭର): ଭୟଙ୍କର ହେଉଛି କରୋନାର ନୂଆ ଭାରିଆଂଟ ‘ଓମିକ୍ରନ’ । ସାରା ବିଶ୍ୱରେ ଓମିକ୍ରନକୁ ନେଈ କୋକୁଆ ଭୟ । ବର୍ତମାନ ସୁଦ୍ଧା ଏହି ଭାରିଆଂଟ ବିଶ୍ୱରେ ପ୍ରାୟ ୯୦ରୁ ଉର୍ଦ୍ଧ୍ୱ ଦେଶକୁ ବ୍ୟାପି ସାରିଲାଣି । ଭାରତରେ ଏଯାବତ୍ ୨୦୦ରୁ ଅଧିକ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦିଲ୍ଲୀ ଓ ମହାରାଷ୍ଟ୍ରରୁ ସର୍ବାଧିକ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ମୋଟ୍ ୫୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯଦି ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢେ ତେବେ ଏହା ତୃତୀୟ ଲହରକୁ ନିମନ୍ତ୍ରଣ କରିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି ।

ଆଜି ଓଡ଼ିଶାରୁ ୨ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ନାଇଜେରିଆ ଓ ଅନ୍ୟଜଣେ କତାରରୁ ଫେରିଥିବା ସୂଚନା ମିଳିଛି । ସେମାନଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ ସେମାନଙ୍କର ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ପରେ ସେମାନଙ୍କର କ୍ଷେତ୍ରରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଛି । ଓଡ଼଼ିଶାର ଖୋର୍ଦ୍ଧା ଓ ଜଗତସିଂହପୁରର ଏହି ଦୁଇ ଆକ୍ରାନ୍ତ ବିଦେଶରେ ଫେରିଛନ୍ତି । ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ କୋଣସି ଭୟଭୀତ ନ ହେବା ପାଇଁ ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି । ସେପଟେ ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ଉପରେ କଡା ନଜର ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କ ପାଇଁ ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।

ରାଜ୍ୟରୁ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସାରା ରାଜ୍ୟରେ ଭୟ ସୃଷ୍ଟି ହୋଇଛି । ଏଥିପାଇଁ ରାଜ୍ୟ ସରକାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏହି ବୈଠକ କରାଯାଇଛି । ସବୁଠାରୁ ଆଶ୍ୱସ୍ତିକର ଖବର ଏହା ଯେ, ଚିହ୍ନଟ ହୋଇଥିବା ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରେ କୋଣସି ପ୍ରକାର ଗୁରୁତର ଲକ୍ଷଣ ଦେଖାଯାଇନାହିଁ । ସେମାନଙ୍କ କ୍ଷେତ୍ରରେ କେତେକ ସ୍ୱଳ୍ପ ଲକ୍ଷଣ ଦେଖାଦେଇଛି ।

ଅନ୍ୟପଟେ କୋଭିସିଲ୍ଡ ଓ କୋଭାକ୍ସିନ ନେଇଥିବା ଲୋକଙ୍କ ପାଇଁ ବୁଷ୍ଟର ଡୋଜ୍ ପରୀକ୍ଷା ପାଇଁ ଡିସିଜିଆଇକୁ ଅନୁମତି ମାଗିଛି ଭାରତ ବାୟୋଟେକ୍ । ଅନେକ ବିଶେଷଜ୍ଞଙ୍କ ମତନୁଯାୟୀ, କୋଭିଡର ଦୁଇଟି ଡୋଜ୍ ନେଇଥିବା ଲୋକଙ୍କୁ ମଧ୍ୟ ଏହି ଓମିକ୍ରନ ଭୂତାଣୁ ସଂକ୍ରମିତ କରିପାରେ । ତେଣୁ ଏଥିପାଇଁ ଏକ ସ୍ୱତନ୍ତ୍ର ବୁଷ୍ଟର ଡୋଜ୍ ପରୀକ୍ଷଣ କରିବା ପାଇଁ ଡିସିଜିଆଇକୁ ଅନୁମତି ମାଗିଛି ଭାରତ ବାୟୋଟେକ୍ ।

Exit mobile version