ଆଧାର-ଭୋଟର ଲିଙ୍କ୍‌: ଜାଣନ୍ତୁ କ’ଣ ରହିଛି ସୁବିଧା ?

(ଦ କୁଇଭର): ଆଧାର କାର୍ଡ ସହ ଯୋଡ଼ିହେବ ଭୋଟର ପରିଚୟ ପତ୍ର । ଭୋଟର ପରିଚୟ ପତ୍ର ଓ ଆଧାର କାର୍ଡ ସଂଯୋଗୀକରଣକୁ ନେଇ ତେଜୁଛି ରାଜନୀତି । ଏହାକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଖଣ୍ଡଯୁଦ୍ଧ । ନିର୍ବାଚନ ସଂସ୍କାର ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ସୋମବାର ଲୋକସଭାରେ ଏବଂ ମଙ୍ଗଳବାର ରାଜ୍ୟସଭାରେ ପାରିତ ହୋଇଛି । ବର୍ତ୍ତମାନ ଏହି ବିଲ୍ ଆଇନରେ ପରିଣତ ହେବା ପରେ ଭୋଟର ପରିଚୟ ପତ୍ର ସହିତ ଆଧାରକାର୍ଡ ଲିଙ୍କ୍ କରିବାର ରାସ୍ତା ସଫା ହୋଇଯିବ । ପୂର୍ବରୁ ୨୦୧୫ରେ ସୁପ୍ରିମକୋର୍ଟ ଆଧାର ଓ ଭୋଟର ପରିଚୟପତ୍ର ଲିଙ୍କ୍ ଉପରେ ରୋକ୍ ଲଗାଇଥିଲେ । କିନ୍ତୁ ଏହି ଆଇନ ଲାଗୁ ହେବା ପରେ ଏହି ରାସ୍ତା ସଫା ହୋଇଯିବ।

ନିର୍ବାଚନ ସଂସ୍କାର ସହିତ ଜଡ଼ିତ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍‌ରେ ଆଧାର-ଭୋଟର ପରିଚୟ ପତ୍ର ଲିଙ୍କ୍ କରିବା ସହିତ ଅନ୍ୟ ୩ଟି ବଡ଼ ପରିବର୍ତନ ଅଛି । କିନ୍ତୁ ବିରୋଧୀ ଏହି ବିଲ୍‌କୁ ଲାଗୁ କରିବା ପାଇଁ ବିରୋଧ କରିଛନ୍ତି । ତେବେ ଜାଣନ୍ତୁ କ’ଣ ରହିଛି ଏହି ବିଲ୍‌ର ବ୍ୟବସ୍ଥା…
୧- ଭୋଟର ପଚିଚୟ ପତ୍ର-ଆଧାର ଲିଙ୍କ୍‌:
ଏହି ବିଲ୍‌ର ପ୍ରଥମ ବ୍ୟବସ୍ଥା ହେଉଛି, ଭୋଟର ପରିଚୟ ପତ୍ର ସହିତ ଆଧାର କାର୍ଡ ଲିଙ୍କ୍ କରିବା ପାଇଁ ନିର୍ବାଚନ ଆୟୋଗ ସୁପାରିଶ କରିଛନ୍ତି। ଏହାକୁ ଲିଙ୍କ୍ କରିବାର ଅର୍ଥ ହେଉଛି, ନିର୍ବାଚନ ସମୟରେ ଜାଲ୍ ଭୋଟିଂକୁ ରୋକାଯାଇପାରିବ । ଏହାସହିତ ଭୋଟର ପରିଚୟପତ୍ରର ନକଲ ଉପରେ ମଧ୍ୟ ରୋକ୍ ଲଗାଯାଇପାରିବ ।
୨- ବର୍ଷକରେ ୪ଥର ପଞ୍ଜିକରଣ:
ଭୋଟର ତାଲିକାରେ ନିଜ ନାମକୁ ବର୍ଷକରେ ୪ଥର ଯୋଡିବାର ପ୍ରାବଧାନ ଏହି ବିଲ୍‌ରେ ରହିଛି । ବର୍ତମାନ ବର୍ଷକରେ ଥରେ ନିଜର ନାମକୁ ଭୋଟର ତାଲିକାରେ ରେଜିଷ୍ଟେସନ କରାଯାଇପାରୁଥିଲା । କିନ୍ତୁ ଏହି ବିଲ୍ ଲାଗୁ ହେବା ପରେ ଜାନୁଆରୀ ୧, ଅପ୍ରେଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ରେ ନିଜର ନାମ ଜୋଡି ପାରିବେ ।
୩- ଲିଙ୍ଗଗତ ନିରପେକ୍ଷତା ରହିବ:
ସର୍ଭିସ ଭୋଟର ପାଇଁ ଏହାକୁ ଲିଙ୍ଗଗତ ନିରପେକ୍ଷତା କରାଯାଇଛି । ଅର୍ଥାତ ବର୍ତମାନ ମହିଳା କର୍ମଚାରୀଙ୍କ ସର୍ଭିସ ଭୋଟର ତାଲିକାରେ ନିଜର ପତି ମଧ୍ୟ ନିଜର ନାମ ଜୋଡି ପାରିବେ । ଏହା ଫଳରେ ‘ପତ୍ନି’ ଶବ୍ଦ ଯାଗାରେ ‘ପତି ବା ପତ୍ନି’ ଶବ୍ଦ ଲେଖାଯିବ ।
୪- ନିର୍ବାଚନ ଆୟୋଗ ପାଇବେ ଅଧିଗ୍ରହଣ ଅଧିକାର:
ଏହି ଆଇନ ପ୍ରଣୟନ ହେବାମାତ୍ରେ ନିର୍ବାଚନ ଆୟୋଗ ଯେ କୌଣସି ଅନୁଷ୍ଠାନ କିମ୍ବା ପରିସରକୁ ନିର୍ବାଚନ ପ୍ରକ୍ରିୟାରେ ବ୍ୟବହାର କରିବାର ଅଧିକାର ପାଇବେ । ନିର୍ବାଚନ ଆୟୋଗ ଭୋଟିଂ, ଗଣତି ବା ଇଭିଏମ ମେସିନ୍ ରଖିବା ପାଇଁ କିମ୍ବା ଅନ୍ୟ କୌଣସି କାର୍ଯ୍ୟପାଇଁ ଅଧିଗ୍ରହଣ କରିପାରିବେ ।

ବିଲ୍‌କୁ ନେଇ ବିରୋଧୀଙ୍କ ଆପତ୍ତି:
୧- ଗୋପନୀୟତା ପ୍ରତି ବିପଦ: ତଥ୍ୟ ଚୋରି ଆଶଙ୍କା
ଏହି ବିଲ୍‌ରେ ଆଧାରକାର୍ଡ ସହିତ ଭୋଟର ପରିଚୟ ପତ୍ର ଲିଙ୍କ୍‌କୁ ନେଇ ବିରୋଧ କରିଛନ୍ତି ବିରୋଧୀ । ବିରୋଧୀଙ୍କ କହିବା ଅନୁଯାୟୀ, ଏହାଦ୍ୱାରା ଗୋପନୀୟତା ପ୍ରତି ବିପଦ ରହିଛି । ଏହାସହିତ ତଥ୍ୟ ଚୋରି ହେବାର ମଧ୍ୟ ଆଶଙ୍କା ରହିଛି । ତୃଣମୂଳ କଂଗ୍ରେସର ସାଂସଦ ସୁଧାଂଶୁ ଶେଖରଙ୍କ କହିବା ଅନୁଯାୟୀ, ଆଧାରକାର୍ଡ ସହିତ ଭୋଟର ପରିଚୟ ପତ୍ର ଯୋଡ଼ିବା ଲୋକଙ୍କ ଗୋପନୀୟତା ପ୍ରତି ଖେଳିବା ସହ ସମାନ ।
୨- ଯେଉଁମାନଙ୍କର ନାଗରିକତ୍ୱ ନାହିଁ, ସେମାନେ ଭୋଟର ହୋଇଯିବେ:
ବିଲ୍‌କୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର୍ କହିଛନ୍ତି, ଆଧାରକାର୍ଡ ହେଉଛି ଆବାସର ପ୍ରମାଣପତ୍ର, ନାଗରିକତ୍ୱର ନୁହେଁ । ଯଦି ଆଧାରକାର୍ଡକୁ ଭୋଟର ପରିଚୟ ପତ୍ର ସହିତ ଯୋଡି ଦିଆଯିବ ତେବେ ଅନେକ ଅଣ-ନାଗରିକମାନେ ମଧ୍ୟ ଭୋଟ ଦେବାର ଅଧିକାର ପାଇଯିବେ ।
୩- ସୁପ୍ରିମକୋର୍ଟଙ୍କ ଆଦେଶକୁ ଉଲଙ୍ଘନ:
ଏମଆଇଏମ ସାଂସଦ ଅସଦୁଦ୍ଦିନ ୱବେସୀ ଏହି ବିଲକୁ ବିରୋଧ କରି କହିଛନ୍ତି, ଆଧାରକାର୍ଡ ସହିତ ଭୋଟର ପରିଚୟ ପତ୍ର ଯୋଡ଼ିବା ହେଉଛି ସୁପ୍ରିମକୋର୍ଟଙ୍କ ଆଦେଶର ଉଲଂଘନ । ଏଥିରେ ସୁପ୍ରିମକୋର୍ଟ କହିଥିଲେ ଗୋପନୀୟତା ହେଉଛି ଏକ ମୌଳିକ ଅଧିକାର । ତେଣୁ ଏହି ଆଇନ ଆସିବା ଦ୍ୱାରା ଲୋକଙ୍କ ଗୋପନୀୟତା ଓ ସୁରକ୍ଷା ପ୍ରତି ବିପଦ ରହିଛି ।

ସେପଟେ ଲୋକସଭାରେ ଆଇନ ମନ୍ତ୍ରୀ କିରଣ ରିଜ୍ଜୁ ଏହି ବିଲ୍ ଆଗତ କରିଥିଲେ । ବିରୋଧୀଙ୍କ ଆପତି ଉପରେ ମନ୍ତ୍ରୀ ଉତ୍ତର ଦେଇ କହିଥିଲେ, ଏହାଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବ ଏବଂ ଡୁପ୍ଲିକେସିକୁ ରୋକାଯାଇପାରିବ ।

Leave a Reply

Your email address will not be published. Required fields are marked *