Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଓଡ଼ିଶାରୁ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

(ଦ କୁଇଭର): ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଓଡ଼ିଶାରୁ ଆଉ ୨ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ଗତ ୨ ଦିନ ପୂର୍ବରୁ ରାଜ୍ୟରୁ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଆଉ ୨ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ ଚିହ୍ନଟ ହୋଇଥିବା ୨ଜଣ ଓମିକ୍ରନ ଆକ୍ରାନ୍ତ ନାଇଜେରିଆ ଓ କତାରରୁ ଫେରିଥିଲେ । ଏବଂ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ କେଉଁଠାରୁ ଫେରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ତେବେ ସେମାନେ ନାଇଜେରିଆରୁ ଫେରିଛନ୍ତି ବୋଲି ଅନୁମାନ କରାଯାଉଛି। ସେମାନଙ୍କ ଘର ଭୁବନେଶ୍ୱର ବୋଲି ଜଣାପଡ଼ିଛି । ବିଦେଶରୁ ଫେରିଥିବା ୮ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ଜେନମ ସିକ୍ୱିଏନ୍ସିଂ ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ଏବଂ ବିଦେଶରୁ ରାଜ୍ୟକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ସମସ୍ତଙ୍କ ପାଇଁ ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଏନେଇ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ବିଶେଷଜ୍ଞମାନଙ୍କ ସହିତ ବୈଠକ ଜାରି ରଖିଛନ୍ତି ।

Exit mobile version