ପରଲୋକରେ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ

(ଦ କୁଇଭର): ପରଲୋକରେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ । ଆଜି ସକାଳେ ସଢେ ୯ଟା ସମୟରେ ଭୁବନେଶ୍ୱରର ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗ ନେଇ ସୂଚନା ଦେଇଛନ୍ତି ତାଙ୍କ ଝିଅ ଶୁଭଦର୍ଶିନୀ । ତାଙ୍କର ଦେହ ଅସୁସ୍ଥ ଥିଲା । ଆଜି ସକାଳେ ସେ ତଳେ ପଡ଼ିଯାଇଥିଲେ । ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ଜନ୍ମମାଟି କୋଦଳାଙ୍କୁ ତାଙ୍କ ମରଶରୀର ନିଆଯିବ ଏବଂ ପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି ।

ଗଞ୍ଜାମ ଜିଲ୍ଲାର ଜଣେ ଟାଣୁଆ ନେତା ଭାବେ ବେଶ ପରିଚିତ ଥିଲେ ରାମକୃଷ୍ଣ ପଟ୍ଟନାୟକ । ଗଞ୍ଜାମ କୋଦଳା ନିର୍ବାଚନ ମଣ୍ଡଳୀରୁ ସେ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ କ୍ରମାଗତ ଭାବେ ଉତ୍କଳ କଂଗ୍ରେସ, ଜନତା ପାର୍ଟି, ଜନତା ଦଳ ଓ ବିଜେଡି ଦଳରୁ ନିର୍ବାଚନ ଲଢିଥିଲେ । ପରେ ରାଜନୀତିର ପରିଣତ ବୟସରେ ସେ ବିଜେପିରେ ଯୋଗ ଦେଇଥିଲେ । ସେ ରାଜ୍ୟ ସରକାରଙ୍କ ଅର୍ଥ, କୃଷି ଓ ଗ୍ରାମ୍ୟ ଉନ୍ନୟନ ପରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ । ୧୯୭୧ ମସିଆରେ ସେ ପ୍ରଥମ ଥର ବିଧାୟକ ହୋଇ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିଲେ ।

ତାଙ୍କ ବିୟୋଗ ଓଡ଼ିଶା ରାଜନୀତିର ଏକ ଅପୂରଣୀୟ କ୍ଷତି । ତାଙ୍କ ବିୟୋଗରେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବହୁ ବରିଷ୍ଠ ନେତାମାନେ ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ପଟ୍ଟନାୟକ ଜଣେ ଅଭିଜ୍ଞ ଜନନେତା ଓ ପ୍ରଶାସକ ଥିଲେ । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସେବାରେ ନିଜକୁ ନିୟୋଜିତ କରିଥିଲେ । ଗଞ୍ଜାମ ଜିଲ୍ଲା ତଥା ଓଡିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା ।

Leave a Reply

Your email address will not be published. Required fields are marked *