Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପୁଣି ଫେରିବ ବିବାଦୀୟ କୃଷି ଆଇନ !

(ଦ କୁଇଭର): ବହୁ ବାଦ ବିବାଦ ପରେ ପ୍ରତ୍ୟାହୃତ ହୋଇଛି କେନ୍ଦ୍ରର ୩ନୂଆ କୃଷି ଆଇନ । କିନ୍ତୁ ପୁଣି ଥରେ ଆସିବ ଏହି ବିବାଦୀୟ କୃଷି ଆଇନ । ଏକଥା କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଏହି କୃଷି ଆଇନକୁ ପୁଣି ଥରେ ସଂସଦରେ ଉପସ୍ଥାପନ କରାଯିବ । ମହାରାଷ୍ଟ୍ରର ଏକ ସଭାରେ ଯୋଗଦେଇ ଏଭଳି କଥା କହିଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।

ସେ କହିଛନ୍ତି, ଆମେ ଗୋଟିଏ ପାଦ ପଛକୁ ଯାଇଛୁ, କିନ୍ତୁ ଆଗକୁ ବଢିବୁ । କିଛି ଲୋକଙ୍କ ହିଂସାତ୍ମକ ବିରୋଧ ଯୋଗୁ ଏହି ଆଇନକୁ ପ୍ରତ୍ୟାହୃତ କରାଯାଇଛି । ବିନା କୌଣସି ଆଲୋଚନା ଓ ବିତର୍କରେ ଏହି ଆଇନକୁ ରଦ୍ଦ କରିଦିଆଯାଇଛି । ଏହାସହ ସେ କହିଛନ୍ତି, ଦୀର୍ଘ ୭୦ ବର୍ଷ ପରେ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କୃଷି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ପାଇଁ ଏହି ଆଇନ ଅଣାଯାଇଥିଲା । କିନ୍ତୁ କିଛି ଲୋକଙ୍କୁ ଏହି ଆଇନ ପସନ୍ଦ ଆସିଲା ନାହିଁ । ତେଣୁ ସରକାର ଏଥିପାଇଁ ନିରୁତ୍ସାହିତ ନୁହଁନ୍ତି । ପୁଣି ଥରେ ଏହି କୃଷି ଆଇନକୁ ସଂସଦରେ ଉପସ୍ଥାପିତ କରାଯିବ ।

କୃଷକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ । ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବା ପାଇଁ କେନ୍ଦ୍ର ସରକାର ଏହି ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲେ । କିନ୍ତୁ ଏହି ନୂତନ କୃଷି ଆଇନକୁ ହଟାଇବା ପାଇଁ କିଛି କୃଷକ ଏକଜୁଟ୍ ହୋଇ ବିରୋଧ କରିଥିଲେ । ପରେ ପଞ୍ଜାବ, ୟୁପି, ହରିଆଣା ଓ ରାଜସ୍ଥାନରେ ହଜାର ହଜାର ଚାଷୀ ଆନ୍ଦୋଳନ କରିଥିଲେ ଏବଂ ଏହାଦ୍ୱାରା ହିଂସାତ୍ମକ ପରିସ୍ଥିତି ମଧ୍ୟ ଉପୁଜିଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ଆଇନକୁ କେନ୍ଦ୍ର ସରକାର ରଦ୍ଦ କରିଛନ୍ତି ।

Exit mobile version