Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପଞ୍ଚାୟତ ପ୍ରତିନିଧିଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା

(ଦ କୁଇଭର): ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଆଉ ନାହିଁ ନିସ୍ତାର । ସତ୍ୟପାଠରେ ସଠିକ୍ ତଥ୍ୟ ଦେବେ ପ୍ରାର୍ଥୀ । ତଥ୍ୟ ଭୂଲ୍ ଥିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ପଞ୍ଚାୟତ ନିର୍ବାଚନରେ ମଇଦାନକୁ ୱହ୍ଲାଇବାକୁ ଥିବା ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀ ଓ ଜିଲ୍ଲାପରିଷଦ ପ୍ରାର୍ଥୀ ସତ୍ୟପାଠ ମାଧ୍ୟମରେ ନିଜର ତଥ୍ୟ ପ୍ରଦାନ କରିବେ । ପରେ ଏହି ତଥ୍ୟ ଭୁଲ୍ ପ୍ରମାଣିତ ହେଲେ ସେମାନଙ୍କୁ ମିଳିବ କଠୋର ଦଣ୍ଡ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏପରି କଠୋର ବିଜ୍ଞପ୍ତି ପ୍ରକାଶ କରିଛି ଆଇନ ବିଭାଗ ।

ଏବେ ପଞ୍ଚାୟତ ନିର୍ବାଚନରେ ଭାଗ ନେବାକୁ ଥିବା ପ୍ରାର୍ଥୀମାନେ ସତ୍ୟପାଠ ମାଧ୍ୟମରେ ନିଜର ସଠିକ୍ ତଥ୍ୟ ପ୍ରଦାନ କରିବେ । ନିଜ ନାଁରେ ଥିବା ସମ୍ପତ୍ତି, ଅପରାଧିକ ମାମଲା, ଶିକ୍ଷାଗତ ଯୋଗ୍ୟତାକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନାମାଙ୍କନ ପତ୍ର ଦାଖଲ ସମୟରେ ଏହି ସତ୍ୟପାଠ ଦାଖଲ କରିବେ ପ୍ରାର୍ଥୀ । ଏହି ତଥ୍ୟକୁ ସାର୍ବଜନୀନ କରାଯିବ ଏବଂ ୱେବସାଇଟରେ ରହିବ । ପରବର୍ତ୍ତୀ ସମୟରେ ଏହି ତଥ୍ୟ ଯଦି ଭୂଲ ପ୍ରମାଣିତ ହେଲା ତେବେ ସେମାନଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ଦେବାକୁ ପଡ଼ିବ ।

ପୂର୍ବରୁ କେବଳ ବିଧାୟକ ଓ ସାଂସଦ ପ୍ରାର୍ଥୀମାନେ ନିଜର ବ୍ୟକ୍ତିଗତ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରୁଥିଲେ । କିନ୍ତୁ ଏବେ ତୃଣମୃଳ ସ୍ତରରେ ଏହି ପଦ୍ଧତିକୁ ଲାଗୁ କରାଯାଇଛି । ସରପଞ୍ଚ, ଜିଲ୍ଲା ପରିଷଦ, ସମିତିସଭ୍ୟ ପ୍ରାର୍ଥୀମାନେ ଏହି ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବେ । ଏହାଦ୍ୱାରା ପଞ୍ଚାୟତ ନିର୍ବାଚନରେ କେତେ ସ୍ୱଚ୍ଛତା ଆଣିବ ତାହା ପରବର୍ତ୍ତୀ ମୁହୂର୍ତ୍ତରେ ଜଣାପଡ଼ିବ ।

Exit mobile version