ବନ୍ଦ ନୁହେଁ ନିର୍ଦ୍ଧାରିତ ସମୟରେ ହେବ ୟୁପି ନିର୍ବାଚନ

(ଦ କୁଇଭର): ବନ୍ଦ ହେବନି ଉତ୍ତର ପ୍ରଦେଶ ନିର୍ବାଚନ । ନିର୍ଦ୍ଧାରିତ ସମୟରେ ହେବ ୟୁପି ନିର୍ବାଚନ । ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ସବୁ ଦଳ ସହମତି ପ୍ରକାଶ କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା କହିଛନ୍ତି ଯେ, ସବୁ ଦଳ ନିର୍ବାଚନ ସପକ୍ଷରେ ଅଛନ୍ତି । କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ନିର୍ବାଚନ କରାଯିବ । ଉତ୍ତର ପ୍ରଦେଶରେ ୧୧ ହଜାରରୁ ଅଧିକ ପୁଲିଂରେ ଭୋଟ୍ ଗ୍ରହଣ ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତି ୧୨୦୦ ଭୋଟରଙ୍କ ପାଇଁ ଗୋଟିଏ ଲେଖାଏଁ ବୁଥ୍ ଗଠନ ହେବାର କାର୍ଯ୍ୟକ୍ରମ ରହିଛି ।

ଭୋଟ୍ ଦାନ ପାଇଁ କିଛି ଗାଇଡଲାଇନ ମଧ୍ୟ କରାଯାଇଛି । କରୋନା କଟକଣା ମାନି ଭୋଟରମାନେ ଭୋଟ୍ ଦେଇପାରିବେ । ଯେଉଁମାନେ କୋଭିଡ଼ରେ ସଂକ୍ରମିତ ଅଛନ୍ତି ସେମାନେ ଘରେ ରହି ଭୋଟ୍ ଦେଇପାରିବେ । ଏହାସହିତ ଅଧିକ ବୟସ୍କ ଲୋକମାନେ ଯେଉଁମାନେ ମତଦାନ କେନ୍ଦ୍ରକୁ ଯାଇପାରିବେ ନାହିଁ ସେମାନଙ୍କ ପାଇଁ ଘରେ ଭୋଟ୍ ଦେବାର ବ୍ୟବସ୍ଥା କରାଯିବ । ଅନ୍ୟପଟେ ଡବଲ ଡୋଜ୍ ଟିକା ନେଇଥିବା କର୍ମଚାରୀ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବେ । ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ଚାଲିବ । ତେବେ ଭୋଟ୍ ପାଇଁ ଜାନୁଆରୀ ୫ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

Leave a Reply

Your email address will not be published. Required fields are marked *