ସିଦ୍ଦୁଙ୍କ ସହ ମିଶି କାମ କରିବି: ଚନ୍ନି

(ଦ କୁଇଭର): ପାଖେଇ ଆସୁଛି ପଞ୍ଜାବ ବିଧାନସଭା ନିର୍ବାଚନ । ଚଳିତ ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାରି ଭିତରେ ନିର୍ବାଚନକୁ ନେଇ ଆରମ୍ଭ ହୋଇଗଲାଣି ରଣନୀତି । ନିର୍ବାଚନ ପୂର୍ବରୁ ରାଜ୍ୟ କ୍ଷମତାରେ ଥିବା କଂଗ୍ରେସ ଦଳର ଭିତିରି କନ୍ଦଳ ସମାପ୍ତ ହେବ ବୋଲି ଆଶା କରାଯାଉଛି । ଗତକାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି କହିଛନ୍ତି କି ସେ ପଞ୍ଜାବ ରାଜ୍ୟ ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁଙ୍କ ସହ ମିଶି କାମ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହାସହ ସେ କହିଛନ୍ତି କି କଂଗ୍ରେସ ଦଳ ପାଇଁ ସେ କିଛି ବି ତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଏଭଳି ବୟାନ କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ପଞ୍ଜାବ ସରକାରଙ୍କ ବିରୋଧରେ ସିଦ୍ଧୁ ଦେଉଥିବା ବିବାଦୀୟ ବୟାନକୁ ନେଇ ଚନ୍ନି କହିଛନ୍ତି କି, ସିଦ୍ଧୁ କଂଗ୍ରେସ ପାର୍ଟିର ଜଣେ ସଚ୍ଚା ସିପାହୀ ଓ ପୂରା ସଚ୍ଚୋଟତାର ସହ ସେ ଦଳ ପାଇଁ କାମ କରୁଛନ୍ତି। ତେଣୁ ତାଙ୍କ ସହ ମିଳିତ ଭାବେ କାମ କରିବାରେ କିଛି ଅସୁବିଧା ନାହିଁ ବୋଲି ଚନ୍ନି ସ୍ପଷ୍ଟ କରି କହିଛନ୍ତି । ସେପଟେ ଗତବର୍ଷ କଂଗ୍ରେସ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ଏହାସହ ସିଦ୍ଧୁଙ୍କୁ ସନ୍ତୁଷ୍ଟ କରିବାକୁ ଦଳ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଭାବେ ସିଦ୍ଧୁଙ୍କ ନାମ ଘୋଷଣା କରିଥିଲା । ହେଲେ ଏବେ ସିଦ୍ଧୁ ବର୍ତ୍ତମାନ ଜିଦ ଧରିଛନ୍ତି କି, ନିର୍ବାଚନ ପୂର୍ବରୁ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରୁ । ଯାହାକୁ ନେଇ ଏବେ ପଞ୍ଜାବ ରାଜନୀତି ସରଗରମ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *