ଲଖିମପୁର ଖେରି ହିଂସା ମାମଲା: ଇସ୍ତଫା ଦେବେ କି ଅଜୟ ମିଶ୍ରା ?

(ଦ କୁଇଭର): ଲଖିମପୁର ଖେରି ହିଂସା ମାମଲାରେ ଦିନକୁ ଦିନ ବିବାଦରେ ଛନ୍ଦି ହେଉଛନ୍ତି କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟେନି । ଲଖିମପୁର ଖେରି ମାମଲାରେ ଆଜି ୫ହଜାର ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଛି ଏସଆଇଟି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଆଶିଷ ମିଶ୍ରା । ଯିଏକି କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ।

ଦାଖଲ ହୋଇଥିବା ଚାର୍ଜସିଟରେ ଉଲ୍ଲେଖ ଅଛି ଯେ, ଆଶିଷ ମିଶ୍ର ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଯେତେବେଳେ ଅକ୍ଟୋବର ୩ ତାରିଖ ଦିନ ଉତ୍ତରପ୍ରଦେଶ ଲଖିମପୁର ଖେରୀରେ ଆନ୍ଦୋଳନରତ କୃଷକମାନଙ୍କ ଉପରେ କାର୍ ଚଢିଯାଇଥିଲା । ସେତେବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଆଶିଷ ମିଶ୍ରା । ଏହି ହିଂସା ମାମଲାରେ କୃଷକଙ୍କ ସମେତ ଜଣେ ସମ୍ବାଦିକଙ୍କୁ ମିଶାଇ ମୋଟ୍ ୮ଜଣଙ୍କର ମୃତ୍ୟୁ ହୋଇଥିଲା । ଏବଂ ସେହିଦିନ ରାତିରେ ହିଁ ଏଫଆଇଆର ରୁଜୁ କରାଯାଇଥିଲା । ଏହି ମାମଲାରେ ୧୪ଜଣଙ୍କୁ ଅଭିଯୁକ୍ତଭାବେ ନାମିତ କରାଯାଇଥିଲା ।

ଏଠାରେ ପ୍ରଶ୍ନ ଉଠୁଛି, ଚାର୍ଜସିଟ୍ ଦାଖଲ ହେବା ପରେ ଗୃହରାଷ୍ଟ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବେକି ଅଜୟ ମିଶ୍ରା? ବିରୋଧୀ ମଧ୍ୟ ଏହାକୁ ଏକ ମୁଖ୍ୟ ମୁଦ୍ଦା ଭାବେ ଗ୍ରହଣ କରିଛନ୍ତି । ଏହିଭଳି କ୍ରମାଗତ ଚାପ ଯୋଗୁଁ ସରକାର ମଧ୍ୟ ସଂସଦ ଠାରୁ ଆରମ୍ଭ କରି ରାସ୍ତାରେ ମଧ୍ୟ କହିଛନ୍ତି, ଯଦି ଟେନିଙ୍କ ପୁଅ ଦୋଷୀ ସାବ୍ୟସ୍ତ ହୁଏ, ତେବେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଜୟ ମିଶ୍ରା ମଧ୍ୟ କହିଥିଲେ, ଯଦି ମୋ ପୁଅ ବିରୋଧରେ ଗୋଟିଏ ବି ପ୍ରମାଣ ଅଛି ତେବେ ମୁଁ ଇସ୍ତଫା ଦେଇଦେବି ।

ଅକ୍ଟୋବର ୫ ତାରିଖ ଦିନ ଅଜୟ ମିଶ୍ରା କହିଥିଲେ- ‘ମୁଁ ଲାଗାତର ଭାବେ ମୋ ମତ ରଖୁଛି । ଆମର ପ୍ରମାଣ କରିବାର ଅଛି ଯେ, ମୁଁ କିମ୍ବା ମୋ ପୁଅ ସେ ଘଟଣାସ୍ଥଳରେ ଉପସ୍ଥିତ ନ ଥିଲୁ । ଯଦି ମୋ ପୁଅ ସେଠାରେ ଉପସ୍ଥିତ ଥିଲା ବୋଲି ପ୍ରମାଣିତ ହୁଏ, ତେବେ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେବି’ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏସଆଇଟିର ଚାର୍ଜସିଟ୍ ପରେ ଇସ୍ତଫା ଦେବେ କି ଅଜୟ ମିଶ୍ରା?

Leave a Reply

Your email address will not be published. Required fields are marked *