ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

(ଦ କୁଇଭର): ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟିକୁ ନେଇ ବିବାଦ ଘନେଇବାରେ ଲାଗିଛି । ଏହାକୁ ନେଇ ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ମଧ୍ୟ ଏହି ଘଟଣାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ସରକାରୀ ସୂତ୍ରରୁ ଏହି ଖବର ମିଳିଛି । ଏହା ପୂର୍ବରୁ ଏହି ମାମଲା ଯାଇ ପହଞ୍ଚିଛି ସୁପ୍ରିମକୋର୍ଟରେ । ବରିଷ୍ଠ ଆଇନଜୀବୀ ମନିନ୍ଦର ସିଂ ମୁଖ୍ୟ ବିଚାରପତିଙ୍କ ସାମ୍ନାରେ ଏହି ମାମଲା ଉପସ୍ଥାପନ କରିବା ସମୟରେ କହିଛନ୍ତି, ଏହି ଘଟଣାର ରିପୋର୍ଟ ମଗାଯାଉ, ଏବଂ ଦୋଷୀମାନଙ୍କ ଉପରେ ପଞ୍ଜାବ ସରକାର କଠୋର କାର୍ୟ୍ୟାନୁଷ୍ଠାନ ନେବାକୁ ଅପିଲ କରିଛନ୍ତି । ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ ।

ବୁଧବାର ପଞ୍ଜାବ ଗସ୍ତରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଞ୍ଜାବର ଭାଟିଣ୍ଡା ଏୟାରପୋର୍ଟରୁ ପ୍ରଧାନମନ୍ତ୍ରୀ ମୋଦି ଫିରୋଜପୁର ରାଲିକୁ ଯିବାକୁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ପାଣିପାଗ ଖରାପ ହେତୁ ପ୍ରଧାନମନ୍ତ୍ରୀଙ୍କ ରୁଟକୁ ପରିବର୍ତ୍ତନ କରାଯାଇଥିଲା । ଭାଟିଣ୍ଡାରୁ ଫିରୋଜପୁର ୧୦୦ କିଲୋମିଟର ରାସ୍ତା ସେ କାର୍ରେ ଯିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ରାଲି ହେବାକୁ ଥିବା ସ୍ଥାନରୁ ୧୦ ମିଲୋମିଟର ଦୂରରେ ଏକ ଫ୍ଲାଇଓଭରରେ ହଠାତ୍ ଫସିଯାଇଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ।

ରାସ୍ତାରେ ଚାଷୀମାନେ ଆନ୍ଦୋଳନ କରୁଥିବାରୁ କାରକେଡ୍ ଫସିଯାଇଥିଲା । ମୋଦିଙ୍କ କାର୍ ସାମ୍ନାରେ ଅନେକ ମାତ୍ରାରେ ଚାଷୀ ଆନ୍ଦୋଳନ କରୁଥିଲେ । ଯେଉଁଥିପାଇଁ ୨୦ ମିନିଟ୍ ଫ୍ଲାଇଓଭରରେ ଫସି ରହିଥିଲା ପ୍ରାଧାନମନ୍ତ୍ରୀଙ୍କ କାରକେଡ୍ । ଶେଷରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ୟୁଟର୍ଣ୍ଣ ନେଇ ଭାଟିଣ୍ଡା ଏୟାରପୋର୍ଟରେ ପହଞ୍ଚିଥିଲା । ପ୍ରଧାନମନ୍ତ୍ରୀ ବିମାନ ବଦଳରେ କାରରେ ଯିବାରୁ ଏପରି ସମସ୍ୟା ଉପୁଜିଛି ବୋଲି କୁହାଯାଉଛି । ଏହାକୁ ନେଇ ଏବେ ସାରା ଦେଶରେ ରାଜନୀତି ସରଗରମ୍ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *