Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି: ପ୍ରଟୋକଲର ଅଣଦେଖା ନା ରାଜନୀତି ?

(ଦ କୁଇଭର): ଇତିହାସରେ ପ୍ରଥମ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । ୨୦ ମିନିଟ୍ ଫସିରହିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ୍ । ବୁଧବାର ପଞ୍ଜାବ ଗସ୍ତରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କିନ୍ତୁ ସେଠାରେ ତାଙ୍କ ସୁରକ୍ଷାରେ ଦେଖା ଦେଇଥିଲା ସାଂଘାତିକ ତ୍ରୁଟି । ଯାହାକୁ ନେଇ ଘନେଇବାରେ ଲାଗିଛି ବିବାଦ । ଏହି ଘଟଣାକୁ ନେଇ ଏବେ ପଞ୍ଜାବରେ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଚାଲିଥିବା ବେଳେ ମାମଲା ଯାଇ ପହଞ୍ଚିଛି ସୁପ୍ରିମକୋର୍ଟରେ । ଶେଷରେ ପଞ୍ଜାବ ସରକାର ଏହାର ତଦନ୍ତ ପାଇଁ ଗଠନ କରିଛନ୍ତି ଏକ ସ୍ତରୀୟ ପ୍ୟାନେଲ୍ । ଯାହା ୩ ଦିନ ମଧ୍ୟରେ ତଦନ୍ତ ସାରି ସରକାରଙ୍କୁ ରିପୋର୍ଟ ଦେବ ।

ତେବେ ଆସନ୍ତୁ ଜାଣିବା କେଉଁ କାରଣ ପାଇଁ ଫ୍ଲାଇ ଓଭରରେ ଅଟକିଥିଲେ ପ୍ରଧାନମନ୍ତ୍ରୀ । ପୂରା ଘଟଣା କ’ଣ ଥିଲା ଓ କାହିଁକି ଏପରି ସ୍ଥିତି ଉପୁଜିଥିଲା ।
• ପ୍ରଧାନମନ୍ତ୍ରୀ ମୋଦି ଭାଟିଣ୍ଡା ଏୟାରପୋର୍ଟରୁ ଫିରୋଜପୁର ରାଲିକୁ ଯିବାକୁ ପ୍ରସ୍ତୁତ ହେଉଥିଲେ ।
• କିନ୍ତୁ ପାଣିପାଗ ଖରାପ ହେତୁ ପ୍ରଧାନମନ୍ତ୍ରୀଙ୍କ ରୁଟକୁ ପରିବର୍ତ୍ତନ କରାଯାଇଥିଲା ।
• ଭାଟିଣ୍ଡାରୁ ଫିରୋଜପୁର ୧୦୦ କିଲୋମିଟର ରାସ୍ତା ସେ କାର୍ରେ ଯିବାକୁ ନିଷ୍ପତ୍ତି ହୋଇଥିଲା ।
• ରାଲି ହେବାକୁ ଥିବା ସ୍ଥାନରୁ ୧୦ ମିଲୋମିଟର ଦୂରରେ ଏକ ଫ୍ଲାଇଓଭରରେ ହଠାତ୍ ଫସିଯାଇଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ।
• ରାସ୍ତାରେ ଚାଷୀମାନେ ଆନ୍ଦୋଳନ କରୁଥିବାରୁ କାରକେଡ୍ ଫସିଯାଇଥିଲା ।
• ମୋଦିଙ୍କ କାର୍ ସାମ୍ନାରେ ଅନେକ ମାତ୍ରାରେ ଚାଷୀ ଆନ୍ଦୋଳନ କରୁଥିଲେ ।
• ଯେଉଁଥିପାଇଁ ୨୦ ମିନିଟ୍ ଫ୍ଲାଇଓଭରରେ ଫସି ରହିଥିଲା ପ୍ରାଧାନମନ୍ତ୍ରୀଙ୍କ କାରକେଡ୍ ।
• ଶେଷରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ୟୁଟର୍ଣ୍ଣ ନେଇ ଭାଟିଣ୍ଡା ଏୟାରପୋର୍ଟରେ ପହଞ୍ଚିଥିଲା ।
• ପ୍ରଧାନମନ୍ତ୍ରୀ ବିମାନ ବଦଳରେ କାରରେ ଯିବାରୁ ଏପରି ସମସ୍ୟା ଉପୁଜିଛି ବୋଲି କୁହାଯାଉଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସେଠାରେ ହୋଇନଥିଲା କି ରିହରସେଲ୍? ଏସପିଜି କୁ ସହଯୋଗ କରିନଥିଲା କି ସ୍ଥାନୀୟ ପ୍ରଶାସନ? ଯଦି ସହଯୋଗ କରିନଥିଲା ତେବେ କାହିଁକି ସେ ରୁଟ୍ରେ ଯାଉଥିଲେ ପ୍ରଧାନମନ୍ତ୍ରୀ? ନା ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ସହ ଏସପିଜିର ଯୋଗାଯୋଗ ଠିକ୍ ଭାବେ ହୋଇନଥିଲା । ପ୍ରଧାନମନ୍ତ୍ରୀଙ୍କ ପାଇଁ ରାଜନୈତିକ ରାଲି ବଡ଼ ହୋଇପାରେ, କିନ୍ତୁ ଦେଶ ପାଇଁ ପ୍ରଧାନମନ୍ତ୍ରୀ ହେଉଛନ୍ତି ବଡ଼ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏତେ ବଡ଼ ତ୍ରୁଟି ପଛରେ କିଏ?

ଅନ୍ୟପଟେ ପ୍ରଶ୍ନ ଉଠୁଛି, ପ୍ରଧାନମନ୍ତ୍ରୀଙ୍କ ରୁଟ୍ ବିଷୟରେ ଚାଷୀମାନେ ଜାଣିଲେ କିପରି? ଚାଷୀଙ୍କୁ ସେଠାରେ ଆନ୍ଦୋଳନ କରିବାକୁ ଅନୁମତି ଦେଲା କିଏ? ଫ୍ଲାଇ ଓଭରରେ କାହିଁକି ଆନ୍ଦୋଳନ କରୁଥିଲେ ଚାଷୀ? ପଞ୍ଜାବ ପୋଲିସ ପାଖରେ ନଥିଲା କି ପ୍ରଧାନମନ୍ତ୍ରୀଙ୍କ ରୁଟ୍ ର ଖବର? ଯଦି ଥିଲା ତେବେ କାହିଁକି ଚାଷୀଙ୍କୁ ଆନ୍ଦୋଳନ କରିବାକୁ ଅନୁମତି ଦିଆଯାଉଥିଲା । ଏହାକୁ ନେଇ ଏବେ ଅସମାହିତ ପ୍ରଶ୍ନ ସାମ୍ନାକୁ ଆସିଛି ।

ଅନ୍ୟପଟେ ବିରୋଧୀ ଅଭିଯୋଗ କରିଛନ୍ତି ଯେ, ଏହା ହେଉଛି ବିଜେପିର ଏକ ରାଜନୈତିକ ଚାଲ୍ । ପ୍ରଧାନମନ୍ତ୍ରୀଙ୍କ ରାଲିରେ ଜନସଂଖ୍ୟା କମ୍ ଥିବାରୁ କାଳେ ପ୍ରଧାନମନ୍ତ୍ରୀ ଲୋକହସା ହେବେ ସେଥିପାଇଁ ଏପରି ସୁପରିକଳ୍ପିତ ଯୋଜନା କରାଯାଇଥିଲା । ବିରୋଧୀଙ୍କ ଏପରି ବୟାନ ପରେ ଏବେ ପଞ୍ଜାବ ରାଜନୀତି ସରଗରମ୍ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକିବା ବା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ହେବା ହେଉଛି ସାମ୍ବିଧାନିକ ପ୍ରକ୍ରିୟାର ତ୍ରୁଟି । ସେ ରାଜନୈତିକ ରାଲି ହେଉ ଅବା କୌଣସ ସରକାରୀ କାର୍ଯ୍ୟକ୍ରମ । ଦେଶ ପାଇଁ ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ସୁରକ୍ଷାରେ ଏତେ ବଡ଼ ତ୍ରୁଟି ହୁଏତ ଇତିହାସରେ ପ୍ରଥମ । ଯାହା ବୁଧବାର ପଞ୍ଜାବରେ ଦେଖିବାକୁ ମିଳିଥିଲା । ପ୍ରକୃତରେ ଏହା ବିଜେପିର ରାଜନୈତିକ ଚାଲ ନା ବିରୋଧୀଙ୍କ ଟାର୍ଗେଟ ତାହା ସ୍ପଷ୍ଟ ହେବାକୁ ବାକି ରହିଲା ।

Exit mobile version