ତୈଳଦର ବୃଦ୍ଧି ପାଇଁ ଜାଳି ଦେଇଥିଲେ ରାଷ୍ଟ୍ରପତି ଭବନ: କେଉଁଠି ଜାଣନ୍ତୁ ?

(ଦ କୁଇଭର): କାଜକିସ୍ତାନରେ ତୈଳଦର ବୃଦ୍ଧି ଏକ ବଡ଼ ଧରଣର ଅଶାନ୍ତି ସୃଷ୍ଟି କରିଛି । ତୈଳ ଦର ବୃଦ୍ଧି ହେବା ଫଳରେ ଆନ୍ଦୋଳନକାରୀମାନେ ରାଷ୍ଟ୍ରପତି ଭବନ ସହିତ କେତେକ ସରକାରୀ କାର୍ଯ୍ୟାଳୟ ଓ କିଛି ନେତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ପ୍ରଦର୍ଶନକାରୀ ପଳାଇଯିବା ପୂର୍ବରୁ ପୋଲିସ ଗୁଳି ଚାଳନା କରିଥିଲେ । କାଜକିସ୍ତାନର ଗୃହ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏଥିରେ ଆଠ ଜଣ ପୋଲିସ କର୍ମଚାରୀ, ନ୍ୟାସନାଲ ଗାର୍ଡର କିଛି ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ରାଷ୍ଟ୍ରପତି କସିମ-ଜୋମାର୍ଟ ଟୋକାଏଭ ବିକ୍ଷୋଭକାରୀଙ୍କୁ ଶାନ୍ତି ପାଇଁ ନିବେଦନ କରିଥିଲେ । କିନ୍ତୁ ଏହାର କୌଣସି ପ୍ରଭାବ ନ ପଡ଼ିବାରୁ କଠୋର ପଦକ୍ଷେପ ଗ୍ରହଣ କରିଥିଲେ । ସେ ୨ ସପ୍ତାହ ପାଇଁ ଜରୁରୀକାଳୀନ ଘୋଷଣା କରିଦେଇଥିଲେ । ଏହାପରେ ନୂର-ସୁଲତାନର ରାଜଧାନୀ ଓ ଅଲମାଟିର ଦୁଇଟି ବୃହତ୍ତମ ସହରରେ ଜରୁରୀକାଳୀନ ପରିସ୍ଥିତି ବୃଦ୍ଧି କରାଯାଇଥିଲା । ଏହାସହିତ ନାଇଟ୍ କର୍ଫ୍ୟୁକୁ ମଧ୍ୟ କଡ଼ାକଡ଼ି କରାଯାଇଥିଲା । ତଥାପି ସେଠାରେ ବିକ୍ଷୋଭକାରୀ ଶାନ୍ତ ପଡ଼ିନଥିଲେ । ପରେ ସେଠାକାର ସରକାରଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ଏପରିକି କୁହାଯାଉଛି ସେଠାରେ ଇଣ୍ଟରନେଟ୍ ଉପରେ ମଧ୍ୟ ରୋକ୍ ଲଗାଇ ଦିଆଯାଇଥିଲା । ଯେଉଁଥିପାଇଁ ଲୋକମାନେ କୌଣସି ପ୍ରକାର ଖବର ଜାଣିପାରୁ ନଥିଲେ ।

ଆପଣଙ୍କୁ କହିରଖିଛୁ କି, କାଜକିସ୍ତାନରେ ଯାନବାହନରେ ଇନ୍ଧନଭାବେ ବ୍ୟବହୃତ ହେଉଥିବା ପେଟ୍ରୋଲିୟମ ଗ୍ୟାସର ମୂଲ୍ୟ ଦୁଇ ଗୁଣା ବଢିଯିବା ଫଳରେ ଏଭଳି ବିକ୍ଷୋଭ ଆରମ୍ଭ ହୋଇଥିଲା । ଟୋକାୟବଙ୍କ କହିବା ଅନୁଯାୟୀ, ଏହି ବିକ୍ଷୋଭକୁ ‘ଆତଙ୍କବାଦୀ ବ୍ୟାଣ୍ଡ’ ପରିଚାଳିତ କରୁଥିଲେ । ଯେଉଁମାନଙ୍କୁ ଅନ୍ୟ ଦେଶମାନଙ୍କରୁ ମଧ୍ୟ ସାହାଯ୍ୟ ମିଳୁଥିଲା । କାଜକିସ୍ତାନ ହେଉଛି ବିଶ୍ୱର ନବମ ବୃହତ୍ତମ ଦେଶ । ଏହାର ଉତ୍ତର ସୀମାରେ ରୁଷ ଓ ପୂର୍ବ ସୀମାରେ ଚୀନ ଅବସ୍ଥିତ । ଯାହା ପାଖରେ ବ୍ୟାପକ ତୈଳ ଭଣ୍ଡାର ରହିଛି । ଯାହା ଏହାକୁ ରାଜନୈତିକ ଓ ଆର୍ଥିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରିଥାଏ । ତୈଳ ଭଣ୍ଡାର ଓ ଖଣିଜସମ୍ପଦ ଥିବା ସତ୍ତେ୍ୱ ମଧ୍ୟ କିଛି ଅଞ୍ଚଳରେ ଲୋକାମାନେ ଖରାପ ଅବସ୍ଥାରେ ରହୁଛନ୍ତି, ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *