ଆଜିଠୁ ନୂଆ କଟକଣା: ରାତି ୯ରୁ ନାଇଟ୍ କର୍ଫ୍ୟୁ

(ଦ କୁଇଭର): ବଢିଲା ସଂକ୍ରମଣ, ଲାଗୁ ହେଲା କଟକଣା । ଆଜିଠୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ । ରାତି ୯ଟା ପରେ ଘରୁ ବାହାରିବା ମନା । ୧୦ ଟା ପରିବର୍ତ୍ତେ ରାତି ୯ଟାରୁ ସମସ୍ତ ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୯ଟା ପରେ ଘରୁ ବାହାରିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ସେପଟେ ଗାଇଡ଼ଲାଇନ ଅନୁଯାୟୀ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ହୋଟେଲ, ବାର ଓ ରେଷ୍ଟୁରାଣ୍ଟଏବଂ ସେଠାରେ ଏକାସଙ୍ଗରେ ୫ଜଣ ଗ୍ରାହକ ରହିପାରିବେ । ୧ହଜାର ଦର୍ଶକଙ୍କୁ ନେଇ ଚାଲିବ ଯାତ୍ରା । କିନ୍ତୁ କୋଭିଡ଼ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ ।

ସପିଙ୍ଗମଲରେ ଭିଡ଼ ହେଲେ ଦାୟୀ ରହିବେ ମାଲିକ । ଏବଂ ନିୟମ ଉଲଙ୍ଘନ କଲେ ୭ ଦିନ ଯାଏ ସିଲ୍ କରାଯିବ ଦୋକାନ । ଏହାସହ ନୂଆବର୍ଷରେ ପର୍ଯ୍ୟଟନସ୍ଥଳୀ ଓ ପିକ୍ନିକ୍ ଉପରେ ଲାଗିଛି କଟକଣା । ପର୍ଯ୍ୟଟନସ୍ଥଳୀ ଓ ପାର୍କରେ କୌଣସି ପ୍ରକାର ପିକନିକ୍ ହୋଇପାରିବ ନାହିଁ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ କୋଭିଡ଼ କଟକଣା ମଧ୍ୟରେ ଚାଲିବ ସିନେମା ହଲ୍ । ବାହାଘର ଏବଂ ବ୍ରତଘରରେ ୧୦୦ଜଣ ସାମିଲ ହୋଇପାରିବେ । କିନ୍ତୁ ବାହାଘର ଶୋଭାଯାତ୍ରାରେ କେବଳ ୩୦ ଜଣଙ୍କୁ ଅନୁମତି ମିଳିବ । ସେହିପରି ଶୁଦ୍ଧିକ୍ରିୟାରେ ୫୦ଜଣ ରହିପାରିବେ । ସମସ୍ତ ସରକାରୀ ଅଫିସ୍ ମଧ୍ୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । କିନ୍ତୁ ଜରୁରୀସେବା ପ୍ରଦାନ କରୁଥିବା ଅଫିସ୍ ଗୁଡ଼ିକରେ ଏହି ନିର୍ଦ୍ଦେଶନାମା ଲାଗୁ ହେବ ନାହିଁ । ଆଜି ରାତିରୁ ଏହି କଟକଣା ଲାଗୁ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *