ପୁଣି ଭିଜେଇବ ଅଦିନିଆ ବର୍ଷା: ଆସନ୍ତାକାଲିଠୁ ପ୍ରବଳ ବର୍ଷା

(ଦ କୁଇଭର): ପୁଣି ଭିଜେଇବ ଅଦିନିଆ ବର୍ଷା । ବର୍ଷା ମାଡ଼ରେ ଭିଜିବ ସାରା ଓଡ଼ିଶା । ଆସନ୍ତାକାଲିଠୁ ୧୪ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅମଳ ଫସଲ ସୁରକ୍ଷିତ ରଖିବାକୁ ପରାମର୍ଶ । ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ । ପଶ୍ଚିମା ଝଡ଼ର ଆଗମନ ଓ ପୂର୍ବ ଦିଗରେ ବଙ୍ଗୋପସାଗରରୁ ଓଡ଼ିଶାକୁ ପ୍ରବଳ ମାତ୍ରାରେ ଉଷ୍ମ ଜଳୀୟ ବାଷ୍ପ ଅନୁପ୍ରବେଶ ଯୋଗୁଁ ଆଗାମୀ ୧୧ରୁ ୧୪ ଜାନୁଆରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶାର କିଛି ଜିଲ୍ଲାରେ କୁଆପଥର ସହ ବର୍ଷା ହେବାର ଥିବା ବେଳେ ଅନ୍ୟ କେତେକ ଜିଳ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

୧୧ ତାରିଖ ମଙ୍ଗଳବାର
ବରଗଡ଼, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଦେବଗଡ଼ ଆଦି ୭ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୨ ତାରିଖ ବୁଧବାର
କଳାହାଣ୍ଡ, କନ୍ଧମାଳ, ବୈଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ ଓ ନୟାଗଡ଼ ଆଦି ୭ ଜିଳ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୩ ତାରିଖ ଗୁରୁବାର
କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଆଦି ୯ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପଟେ ଚାଷୀଙ୍କ ଅଦିନିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ।
• ଅମଳ ଧାନକୁ ଜାନୁଆରୀ ୧୦ ସୁଦ୍ଧା ସୁରକ୍ଷିତ ସ୍ଥାନକୁ ନେଇଆସନ୍ତୁ ।
• ୧ ସପ୍ତାହ ପାଇଁ ଡାଲିଜାତୀୟ ଫସଲର ବିହନ ବୁଣା ସ୍ଥଗିତ ରଖନ୍ତୁ ।
• ଚିନାବାଦାମ ଓ ସୋରିଷ ଫୁଲ କ୍ଷେତକୁ ଜଳସେଚନ ବନ୍ଦ କରନ୍ତୁ ।
• କୁଆପଥର ମାଡ଼ରୁ ରକ୍ଷା ପାଇଁ ଫସଲକୁ ଘୋଡ଼ାଇ ରଖନ୍ତୁ ।
• ଅମଳ ଉପଯୋଗୀ ଫସଲକୁ ତୋଳି ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ ।
• ଆଗକୁ ବର୍ଷା ଆସୁଥିବାରୁ କୀଟନାଶକ ଓ ସାର ପ୍ରୟୋଗ କିଛି ଦିନ ପାଇଁ ବନ୍ଦ ରଖନ୍ତୁ ।

Leave a Reply

Your email address will not be published. Required fields are marked *