ଖୋଲା ଆକାଶରେ ଗୁଡ଼ି ଉଡ଼ାଇଲେ ଦେବେ ୧୦ ଲକ୍ଷ ଜରିମାନା

(ଦ କୁଇଭର): ଖୋଲା ଆକାଶରେ ଗୁଡ଼ି ଉଡ଼ାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ । କାରଣ ଖୋଲା ଆକାଶରେ ଗୁଡ଼ି ଉଡ଼ାଇବା ଏକ ଦଣ୍ଡନୀୟ ଅପରାଧ । ଯଦି ଆପଣ କିମ୍ବା ଆପଣଙ୍କ ପରିବାରବର୍ଗ ଗୁଡ଼ି ଉଡ଼ାଉଛନ୍ତି, ତାହେଲେ ହୋଇଯାଆନ୍ତୁ ସାବଧାନ । କାରଣ ଆପଣଙ୍କୁ ଦେବାକୁ ପଡ଼ିପାରେ ବଡ଼ ପରିମାଣର ଜୋରିମାନା । ଖୋଲା ଆକାଶ ତଳେ ମେଘକୁ ସ୍ପର୍ଶ କରୁଥିବା ରଙ୍ଗୀନ ଗୁଡ଼ି ଉଡ଼ାଇବାକୁ କିଏ ବା ପସନ୍ଦ ନ କରେ । କିନ୍ତୁ ଏହି ଗୁଡ଼ି ଉଡ଼ାଇବା ଆପଣଙ୍କ ଉପରେ ଭାରି ପଡ଼ିପାରେ । ଗୁଡ଼ି ଉଡ଼ାଇବା କାରଣରୁ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଦେବାକୁ ପଡ଼ିପାରେ ।

ମକର ସଂକ୍ରାନ୍ତି ଦିନରେ ମଧ୍ୟ ଏହା ଛାଡ଼ କରାଯାଇନାହିଁ । କାରଣ ଦେଶରେ ଗୁଡ଼ି ଉଡ଼ାଇବା ବେଆଇନ ଅଟେ । ଆମ ଦେଶରେ ଗୁଡ଼ି ଉଡ଼ାଇବା କେବଳ ବେଆଇନ ନୁହେଁ, ବରଂ ଏଥିପାଇଁ ୨ ବର୍ଷ ଜେଲ ଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରାଯାଇପାରେ । ଏହା କୌତୁହଳ ଲାଗୁଥିଲେ ମଧ୍ୟ ସତ । ଏଥିପାଇଁ ଦେଶରେ କାନୁନ୍ ମଧ୍ୟ ତିଆରି ହୋଇଛି । ତେବେ ଏହି ନିୟମର ଜଥାର୍ଥତା କ’ଣ ରହିଛି? କାହିଁକି ଏହି ନିୟମ ରହିଛି, ତାହାକୁ ନେଇ ଏବେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ତେବେ ଗୁଡ଼ି ଉଡ଼ାଇବା ପାଇଁ କ’ଣ ସବୁ ନିୟମ ରହିଛି ଆସନ୍ତୁ ଦେଖିବା ।

ଭାରତରେ ଗୁଡ଼ି ଉଡ଼ାଇବା ବେଆଇନ୍ କି?

ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିଛି । ଆଜ୍ଞା ହଁ, ଭାରତରେ ଗୁଡ଼ି ଉଡ଼ାଇବା ବେଆଇନ ଅଟେ । ଦେଶରେ ଲାଗୁ ହୋଇଥିବା ୧୯୩୪ ଭାରତୀୟ ବିମାନ ନିୟମ ଯୋଗୁଁ ଏପରି ନିଷ୍ପତି ହୋଇଛି । ଏହି ନିୟମ ଅନୁଯାୟୀ, ଦେଶରେ ଗୁଡ଼ି ଓ ବେଲୁନ୍ ଆଦି ଉଡ଼ାଇବା ନିଷେଧ ଅଟେ । ଯାହା ୨୦୦୮ରେ ସଂଶୋଧିତ ହୋଇଥିଲା । ଧାରା ୧୧ ଅଧିନିୟମ ଅନୁଯାୟୀ, ବେଆଇନ ଭାବେ ଗୁଡ଼ି ଉଡ଼ାଇଲେ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ, ସହ ୧୦ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ହେବାର ନିୟମ ରହିଛି । ଅନ୍ୟପଟେ ଯେଉଁମାନଙ୍କର ଗୁଡ଼ି ଉଡ଼ାଇବାକୁ ଭଲ ପାଆନ୍ତି, ସେମାନଙ୍କୁ ଏକ ଲାଇସେନ୍ସ ପ୍ରଦାନର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆପଣଙ୍କ ପାଖରେ ଯଦି ଏହି ଲାଇସେନ୍ସ ଅଛି ତେବେ ଆପଣ ମଧ୍ୟ ଗୁଡ଼ି ଉଡ଼ାଇପାରିବେ ।

ତେବେ ଆସନ୍ତୁ ଜାଣିବା କ’ଣ କହୁଛି ୧୯୩୪ର ଭାରତୀୟ ବିମାନ ନିୟମ?
୧୯୩୪ ଭାରତୀୟ ବିମାନ ନିୟମ ବା ଇଣ୍ଡିଆନ ଏୟାରକ୍ରାଫ୍ଟ ଏକ୍ଟ ୧୯୩୪ର ଧାରା ୧୧ରେ କୁହାଯାଇଛି ଯେ, ଯଦି କେହି ଜାଣିଶୁଣି ଆକାଶରେ ଗୁଡ଼ି ଉଡ଼ାଏ, ଯାହାଦ୍ୱାରା କୌଣସି ପ୍ରକାର ସମ୍ପତ୍ତି ପ୍ରତି ବିପଦ ଆସେ ତେବେ ତାଙ୍କୁ ନିୟମ ଅନୁସାରେ ଦଣ୍ଡିତ କରାଯିବ । ଅର୍ଥାତ୍ ଦୁଇ ବର୍ଷ ପାଇଁ ଜେଲ କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବାର ନିୟମ ରହିଛି । ୨୦୦୮ରେ ଏହି ନିୟମକୁ ସଂଶୋଧନ କରାଯାଇଥିଲା ।

ଗୁଡ଼ି ଉଡ଼ାଇବା ଲାଇସେନ୍ସ କିପରି ପାଇବେ?
ଭାରତୀୟ ନିୟମ ଅନୁସାରେ , ଦେଶରେ ଗୁଡ଼ି ଉଡ଼ାଇବା ପାଇଁ ଆପଣଙ୍କୁ ଏକ ସ୍ୱତନ୍ତ୍ର ଲାଇସେନ୍ସ ନେବାକୁ ହେବ । ଏହାକୁ ନେଇ ଏକ ଦ୍ୱନ୍ଦ ରହିଛି । କାରଣ କେତେକ ରାଜ୍ୟ ଏବଂ ସହରରେ ଲାଇସେନ୍ସ ସ୍ଥାନୀୟ ପୋଲିସ ଷ୍ଟେସନରୁ ମିଳିଥିବାବେଳେ କେତେକ ସ୍ଥାନରେ ଏହା କେବେଳ ସିଭିଲ ଆଭିଏସନ ଅଥୋରିଟି ଅଫ୍ ଇଣ୍ଡିଆରୁ ମିଳିଥାଏ । ଯେତେବେଳେ ବି ଭାରତରେ ଏକ ବଡ଼ ଧରଣର ଗୁଡ଼ି ଫେଷ୍ଟିଭାଲ ବା ଇଭେଣ୍ଟ ହୁଏ, ସେତେବେଳେ ଏଥିପାଇଁ ସ୍ଥାନୀୟ ପୋଲିସ ଷ୍ଟେସନ, ପ୍ରଶାସନ ଏବଂ ସିଭିଲ ଆଭିଏସନ ଅଫ୍ ଇଣ୍ଡିଆର ଅନୁମତି ନିଆଯାଇଥାଏ । ତେଣୁ ଏଭଳି ବେଆଇନ ଗୁଡ଼ି ଉଡ଼ାଇଲେ ଆପଣ ବି ଦଣ୍ଡିତ ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *