ସାବିତ୍ରୀ ବାଇ ଖାନୋଲକର: ଜଣେ ବିଦେଶୀ ମହିଳା, ଯିଏ ପ୍ରସ୍ତୁତ କରିଥିଲେ ପରମବୀର ଚକ୍ରର ଡିଜାଇନ୍

(ଦ କୁଇଭର): ସାହସୀ ସୈନିକମାନଙ୍କୁ ସେମାନଙ୍କର ବୀରତ୍ୱ, ଅଦମ୍ୟ ସାହସ ଏବଂ ଯୁଦ୍ଧରେ ବଳିଦାନ ପାଇଁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ହେଉଛି ‘ପରମବୀର ଚକ୍ର’ । ଏହା ପ୍ରତିଷ୍ଠା ହେବାର ୭୨ ବର୍ଷର ଇତିହାସରେ, ଏପର୍ୟ୍ୟନ୍ତ ୨୧ ଜଣ ସାହସୀ ଯୋଦ୍ଧାଙ୍କୁ ଏହି ସମ୍ମାନ ଦିଆଯାଇଛି । ମେଜର ସୋମନାଥ ଶର୍ମାଙ୍କୁ ଦେଶର ପ୍ରଥମ ‘ପରମବୀର ଚକ୍ର’ରେ ସମ୍ମାନିତ କରାଯାଇଥିଲା । ଯିଏ କି ୧୯୪୭-୪୮ ଯୁଦ୍ଧରେ ଅଦମ୍ୟ ସାହସ ଦେଖାଇ ମୃତ୍ୟୁବରଣ କରିଥିଲେ।
ଭାରତର ବାୟୁ, ଜଳ ଏବଂ ସ୍ଥଳ ସେନାକୁ ଯାଇଥିବା ସମସ୍ତ ସୈନିକମାନଙ୍କୁ ସବୁଠାରୁ ବଡ଼ ସ୍ୱପ୍ନ ଥାଏ ଏହି ସମ୍ମାନରେ ସମ୍ମାନିତ ହେବା । ଦେଶର ମହାନ ହିରୋମାନଙ୍କୁ ଦିଆଯାଉଥିବା ଏହି ସମ୍ମାନକୁ ଜଣେ ବିଦେଶୀ ମହିଳା ଡିଜାଇନ୍ କରିଥିଲେ । ଏହି ମହିଳା ଜଣକ ହେଉଛନ୍ତି ସାବିତ୍ରୀ ବାଇ ଖାନୋଲକର । ଯିଏକି ଭାରତ ପାଇଁ ତାଙ୍କର ସମସ୍ତ ଜୀବନକୁ ଉତ୍ସର୍ଗ କରିଥିଲେ ।

ସାବିତ୍ରୀ ବାଇ ଖାନୋଲକର ପୂର୍ବରୁ ‘ଇଭା ୟୋନେ ଲିଣ୍ଡା’ ଭାବରେ ଜଣାଶୁଣା ଥିଲେ । ସେ ୨୦ ଜୁଲାଇ ୧୯୧୩ ରେ ସ୍ୱିଜରଲ୍ୟାଣ୍ଡରେ ଜନ୍ମଗ୍ରହଣ କରିଥିଲେ । ଇଭାଙ୍କ ମା ରୂଷୀୟ ହୋଇଥିବାବେଳେ ତାଙ୍କ ପିତା ହଙ୍ଗେରୀରୁ ଆସିଥିଲେ। ତାଙ୍କ ପିତା ବୃତ୍ତିରେ ଲାଇବ୍ରେରିଆନ୍ ଥିଲେ । ଏହି କାରଣରୁ ଇଭା ଛୋଟବେଳୁ ବିଭିନ୍ନ ପୁସ୍ତକ ପଢିବା ଆରମ୍ଭ କରିଥିଲେ । ପୁସ୍ତକ ମାଧ୍ୟମରେ ସେ ଭାରତ ଏବଂ ଏହାର ଇତିହାସ ବିଷୟରେ ଜାଣିଥିଲେ, ଏଠାରୁ ସେ ଧିରେ ଧିରେ ଭାରତକୁ ଭଲ ପାଇଯାଇଥିଲେ। ଯାହାର ପ୍ରଭାବ ତାଙ୍କ ପରବର୍ତ୍ତୀ ଜୀବନରେ ଦେଖାଦେଇଥିଲା । ଯେତେବେଳେ ଭାରତୀୟ ସେନା ଅଧିକାରୀ କ୍ୟାପଟେନ ବିକ୍ରମ ଖାନୋଲକର ତାଙ୍କ ଜୀବନରେ ଆସିଲେ, ପରେ ଇଭା ତାଙ୍କୁ ବିବାହ କରିଥିଲେ। କ୍ୟାପଟେନ ବିକ୍ରମ ଖାନୋଲକରଙ୍କୁ ବିବାହ କରିବା ପରେ ତାଙ୍କ ନାମ ଇଭା ୟୋନେ ଲିଣ୍ଡା ଠାରୁ ସାବିତ୍ରୀ ବାଇ ଖାନୋଲକର ଭାବରେ ପରିବର୍ତ୍ତନ କରାଯାଇଥିଲା ।

ଭାରତୀୟ ସଂସ୍କୃତି ପ୍ରତି ଆଗ୍ରହୀ ଥିବା ସାବିତ୍ରୀ କ୍ୟାପଟେନ ବିକ୍ରମଙ୍କୁ ବିବାହ କରିବା ପରେ ସମ୍ପୂର୍ଣ୍ଣ ବଦଳି ଯାଇଥିଲେ। ସେ ଭାରତୀୟ ସଂସ୍କୃତିକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିଥିଲେ। ଏପରିକି ତାଙ୍କ ପୋଷାକ ଏବଂ ଭାଷା ଭାରତୀୟ ରଙ୍ଗରେ ରଙ୍ଗିତ ହୋଇଥିଲା । ସାବିତ୍ରୀ ବାଇଙ୍କ ସ୍ୱାମୀ ବିକ୍ରମ ଖାନୋଲକରଙ୍କର ସାମରିକ ଅଧିକାରୀ ଭାବରେ ପ୍ରଥମ ପୋଷ୍ଟିଂ ଐରଙ୍ଗାବାଦରେ ଥିଲା। ପରେ, ଯେତେବେଳେ ସେ ମେଜର ପଦବୀକୁ ପଦୋନ୍ନତି ପାଇବା ପରେ ପାଟନାରେ ପହଞ୍ଚିଥିଲେ, ସେତେବେଳେ ସାବିତ୍ରୀ ବାଇଙ୍କୁ ସାଙ୍ଗରେ ନେଇଥିଲେ । ସେଠାରେ ସାବିତ୍ରୀ ବାଇ ପାଟନା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ସଂସ୍କୃତ ନାଟକ, ବେଦ ଏବଂ ଉପନିଷଦ ଉପରେ ଏକ ଅଧ୍ୟୟନ ଆରମ୍ଭ କରିଥିଲେ। ଏହା ପରେ ସ୍ୱାମୀ ରାମକୃଷ୍ଣ ମିଶନର ଏକ ଅଂଶ ହୋଇଥିଲେ । ସଂଗୀତ ଏବଂ ନୃତ୍ୟ ପ୍ରତି ସାବିତ୍ରୀ ବାଇଙ୍କର ମଧ୍ୟ ଗଭୀର ପ୍ରେମ ଥିଲା, ତେଣୁ ସେ ଏହାକୁ ଆୟତ୍ତ କରିବା ପାଇଁ ଉସ୍ତାଦ୍ ପଣ୍ଡିତ ଉଦୟ ଶଙ୍କରଙ୍କ ଶିଷ୍ୟ ହୋଇଥିଲେ ।

ଦେଶର ସ୍ୱାଧିନତାର କିଛି ସମୟ ପରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଥିଲା। ଯେଉଁଥିରେ ଦେଶର ସାହସୀ ସୈନିକମାନେ ଅଦମ୍ୟ ସାହସ ସହିତ ସେମାନଙ୍କର ସର୍ବୋଚ୍ଚ ବଳିଦାନ ଦେଇଥିଲେ ଏବଂ ଏହି ଦେଶକୁ ସୁରକ୍ଷା ଦେଇଥିଲେ । ଏହି ଯୁଦ୍ଧରେ ବଳିଦାନ ଦେଇଥିବା ବୀରମାନଙ୍କୁ ସମ୍ମାନିତ କରିବା ପାଇଁ ଭାରତୀୟ ସେନା ନୂତନ ପଦକ ପ୍ରସ୍ତୁତ କରିବାରେ କାର୍ୟ୍ୟ କରୁଥିଲା। ମେଜର ଜେନେରାଲ ହିରାଲାଲ ଅଟାଲ ଏହାର ଦାୟିତ୍ୱ ପାଇଲେ। ଏଥିପାଇଁ ସେ ସାବିତ୍ରୀ ବାଇଙ୍କୁ ବାଛିଲେ । ଅଟଳ ବିଶ୍ୱାସ କରୁଥିଲେ ଯେ, ସାବିତ୍ରୀ ଜ୍ଞାନର ଭଣ୍ଡାର ଥିଲେ, ସେ ଭାରତୀୟ ସଂସ୍କୃତି, ବେଦ ଏବଂ ପୁରାଣ ବିଷୟରେ ଭଲ ବୁଝିଥିଲେ । ଏହି କାରଣରୁ ତାଙ୍କ ଅପେକ୍ଷା ଅନ୍ୟ କେହି ଭଲ ଡିଜାଇନ୍ କରିପାରି ନ ଥିଲେ । କିଛି ଦିନର କଠିନ ପରିଶ୍ରମ ପରେ ସାବିତ୍ରୀବାଇ ତାଙ୍କ ଡିଜାଇନ୍କୁ ଅଟଳଙ୍କ ନିକଟକୁ ପଠାଇଲେ । ଏହି ଡିଜାଇନ ପାସ୍ ହେବା ପରେ ଭାରତର ସମସ୍ତ ସାମରିକ ଶାଖାର ଅଧିକାରୀଙ୍କ ପାଇଁ ସର୍ବୋଚ୍ଚ ସମ୍ମାନ ଭାବରେ ମାନ୍ୟତା ପାଇଛି । ୧୯୫୦ ୨୬ ଜାନୁଆରୀ ରେ ଭାରତର ପ୍ରଥମ ଗଣତନ୍ତ୍ର ଦିବସରେ ପରିଚିତ ହୋଇଥିଲା ।

ପରମବୀର ଚକ୍ର ୩.୫ ସେଣ୍ଟିମିଟର ବ୍ୟାସ ବିଶିଷ୍ଟ ପିତ୍ତଳ ଧାତୁର ବୃତ୍ତାକାର ଆକାରରେ ଡିଜାଇନ୍ ହୋଇଛି । ଚାରିଆଡ଼େ ବଜ୍ରପାତର ଚାରୋଟି ଲକ୍ଷଣ ରହିଛି । ପଦକ ମଝିରେ ଅଶୋକାଙ୍କ କମଲରୁ ନିଆଯାଇଥିବା ଜାତୀୟ ପ୍ରତୀକ ଚକକୁ ମଧ୍ୟ ସ୍ଥାନ ଦିଆଯାଇଛି । ପରମବୀର ଚକ୍ରର ଅନ୍ୟ ପାର୍ଶ୍ୱରେ ଏକ କମଳ ପ୍ରତୀକ ଅଛି, ଯେଉଁଥିରେ ପରମବୀର ଚକ୍ର ହିନ୍ଦୀ-ଇଂରାଜୀରେ ଲେଖାଯାଇଛି ।

ପରମବୀର ଚକ୍ର ବ୍ୟତୀତ ସାବିତ୍ରୀ ବାଇ ମଧ୍ୟ ତାଙ୍କ ଜୀବନରେ ଅଶୋକ ଚକ୍ର, ମହାବୀର ଚକ୍ର, କିର୍ତ୍ତୀ ଚକ୍ର, ବୀର ଚକ୍ର ଏବଂ ଶୌର୍ୟ୍ୟ ଚକ୍ରର ପରିକଳ୍ପନା କରିଥିଲେ । ଏହା ବ୍ୟତୀତ ସେ ସାଧାରଣ ସେବା ପଦକ ୧୯୪୭ର ପରିକଳ୍ପନା ମଧ୍ୟ କରିଥିଲେ । ୧୯୫୨ ମସିହାରେ ମେଜର ଜେନେରାଲ ବିକ୍ରମ ଖାନୋଲକରଙ୍କ ଦେହାନ୍ତ ପରେ ସାବିତ୍ରୀ ବାଇ ନିଜକୁ ଆଧ୍ୟାତ୍ମିକତା ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଥିଲେ। ସେ ଦାର୍ଜିଲିଂର ରାମ କୃଷ୍ଣ ମିଶନକୁ ଯାଇଥିଲେ । ସେ ତାଙ୍କ ଜୀବନର ଶେଷ ବର୍ଷଗୁଡ଼ିକୁ ତାଙ୍କ ଝିଅ ଶ୍ରୀଲିନାଲିଙ୍କ ସହ ବିତାଇଲେ । ୨୬ ନଭେମ୍ବର ୧୯୯୦ ରେ ତାଙ୍କର ଦେହାନ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *