ଟିକା ସାର୍ଟିଫିକେଟ୍ ନ ଦେଖାଇଲେ ଗାଁକୁ ପଶିବା ମନା

(ଦ କୁଇଭର): ଭ୍ୟାକ୍ସିନ୍ ନ ନେଲେ ନୋ ଏଣ୍ଟ୍ରି । ପ୍ରବେଶ ପାଇଁ ଟିକା ସାର୍ଟିଫିକେଟ୍ ବାଧ୍ୟତାମୂଳକ । ଭ୍ୟାକ୍ସିନ୍ ନ ନେଇଥିବା ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ ନିଷେଧ । ଯେଉଁମାନେ କରୋନା ଟିକା ନେଇନାହାନ୍ତି ସେମାନେ ଗାଁ ଭିତରକୁ ପ୍ରବେଶ କରିପାରିବେ ନାହିଁ । ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲାର ଏମିତି ଏକ ଗାଁ ଅଛି ଯେଉଁଠି ଗାଁର ପ୍ରବେଶ ପଥରେ ଲୋକଙ୍କ ଟିକା ସାର୍ଟିଫିକେଟ୍ ଯାଞ୍ଚ କରାଯାଉଛି । ଯେଉଁମାନେ ଟିକା ନେଇନାହାନ୍ତି, ସେମାନଙ୍କୁ ଗାଁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ । ସ୍ଥାନୀୟ ଜିଲ୍ଲା ପ୍ରଶାସନ ଗାଁର ପ୍ରବେଶ ପଥରେ ପୋଲିସମାନଙ୍କୁ ନିୟୋଜିତ କରି ବ୍ୟାରିକେଡ ଲଗାଇଛି ଏବଂ ଟିକା ସାର୍ଟିଫିକେଟ୍ ଦେଖାଉଥିବା ଲୋକଙ୍କୁ ଯିବା ଆସିବା ପାଇଁ ଅନୁମତି ମିଳୁଛି ।

କୁହାଯାଉଛି, ଉତ୍ତରପ୍ରଦେଶରେ ଏହାର ହେଉଛି ପ୍ରଥମ ଘଟଣା ଯେଉଁଠି ଟିକା ନନେବା କାରଣରୁ ସମ୍ପୂର୍ଣ୍ଣ ଗାଁକୁ ସିଜ୍ କରିଦିଆଯାଇଛି । ଏନେଇ ଜିଲ୍ଲାପାଳ କହିଛନ୍ତି ଯେ, ଲୋକଙ୍କୁ ଟିକା ନେବା ପାଇଁ ବୁଝାଯାଉଛି, ଏବଂ କିଛି କଟକଣା ଲଗାଯାଇଛି । ଯାହାଦ୍ୱାରା ସଂକ୍ରମଣକୁ ରୋକାଯାଇପାରିବ । ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲାର ୮ ହଜାର ଜନସଂଖ୍ୟା ବିଶିଷ୍ଟ ଚକବାଲି ଗାଁର ୪୫୦ ଲୋକ ବର୍ତ୍ତମାନ ସୁଦ୍ଧା କରୋନାର ପ୍ରଥମ ଡୋଜ୍ ବି ନେଇନାହାନ୍ତି । ଏହି ଗାଁରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ୭ରୁ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ମଧ୍ୟ ହୋଇଛନ୍ତି ।

ଗାଁର ମୁଖିଆଙ୍କ କହିବା ଅନୁଯାୟୀ, ଏହି ଗାଁରେ କରୋନା ଟିକା ନେବା ପାଇଁ କ୍ୟାମ୍ପ୍ ଲଗାଯାଇଛି । କାରଣ ଏହି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ଏହି ଗାଁରେ ହିଁ ଅଛନ୍ତି । ତେଣୁ ଏସଡିଏମ ଗାଁରେ ବ୍ୟାରିକେଡ ଲଗାଇଦେଇଛନ୍ତି । ଯେ ପର୍ଯ୍ୟନ୍ତ ଏହି ଗାଁରେ ଶତ ପ୍ରତିଶତ ଟିକାକରଣ ନ ହୋଇଛି ସେ ପର୍ଯ୍ୟନ୍ତ ବ୍ୟାରିକେଡ ହଟିବ ନାହିଁ ବୋଲି ଜିଲ୍ଲା ଅଧିକାରୀ କହିଛନ୍ତି । ଏହି ମାମଲାରେ ସାହାରନପୁର ଜିଲ୍ଲା ଅଧିକାରୀ ଅଖିଳେଶ ସିଂହ କହିଛନ୍ତି ଯେ, ଚକବାଲି ଗାଁରେ ଟିକାକରଣ ଜୋରସୋରରେ ଚାଲିଛି । ଏଥିରେ ୯୦ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇସାରିଛନ୍ତି ଏବଂ ୫୪ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇସାରିଛନ୍ତି । ତେଣୁ ୧୦୦ ପ୍ରତିଶତ ଟିକାକରଣ ସମ୍ପୂର୍ଣ୍ଣ ହେଲେ ଗାଁରୁ ବ୍ୟାରିକେଡ ହଟିବ ବୋଲି ପ୍ରଶାସନ କହିଛି ।

Leave a Reply

Your email address will not be published. Required fields are marked *