କେବେ ନିବାସରୁ ବାହାରିବେ ନବୀନ ?

(ଦ କୁଇଭର): ପତାକା ଉତ୍ତୋଳନ ଲିଷ୍ଟରେ ନାହିଁ ମୁଖ୍ୟମନ୍ତ୍ରୀଙ୍କ ନାଁ । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେନି ନବୀନ । ଜାନୁଆରୀ ୨୬କୁ ଆଉ ରହିଲା ମାତ୍ର ଗୋଟିଏ ଦିନ । କିନ୍ତୁ ଏଥର ପତାକା ଉତ୍ତୋଳନରେ ଦେଖିବାକୁ ମିଳିବନି ମୁଖିଆଙ୍କ ଚେହେରା । ଗତବର୍ଷ ପରି ଏଥର ମଧ୍ୟ ବାହାରକୁ ଆସିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ପାଇଁ ନବୀନ ନିବାସରେ ରହିବେ ମୁଖ୍ୟମନ୍ତ୍ରୀ । ସେପଟେ କିନ୍ତୁ ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବା ସୋସିଆଲ ମିଡିଆରେ ଗତ କିଛି ଦିନ ହେବ ଭାଇରାଲ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ପଡ଼ିଯାଇ ଅସୁସ୍ଥ ଥିବା ଚର୍ଚ୍ଚା ହେଉଛି । ସତରେ ମୁଖ୍ୟମନ୍ତ୍ରୀ ସୁସ୍ଥ ନା ଅସୁସ୍ଥ? ନବୀନଙ୍କ ଏପରି ହଠାତ୍ ଉଭାନ୍ ପଛରେ କାରଣ କ’ଣ? ଯଦି ମୁଖ୍ୟମନ୍ତ୍ରୀ ଅସୁସ୍ଥ ଅଛନ୍ତି ତେବେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ରାଜ୍ୟବାସୀ ଜାଣିବା ଦରକାର । କାରଣ ସେ ଆମର ମୁଖ୍ୟମନ୍ତ୍ରୀ । ତାହାସହ ସେ ଦେଶର ନମ୍ବର ୧ ମୁଖ୍ୟମନ୍ତ୍ରୀ ମଧ୍ୟ । ତେଣୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସମସ୍ତେ ଜାଣିବାରେ ସମସ୍ୟା କେଉଁଠି? ଏଭଳି ଅନେକ ପ୍ରଶ୍ନ ପରେ ସରକାର ଓ ବିଜେଡି ପକ୍ଷରୁ କୌଣସି ଉତ୍ତର ନ ଆସିବା ଏହି ଚର୍ଚ୍ଚାକୁ ଆହୁରୀ ଦୃଢୀଭୂତ କରିଛି । କିନ୍ତୁ ଗତକାଲି ଓଡ଼ିଶାର ଦୁଇ ବୀରପୁତ୍ରଙ୍କୁ ଜୟନ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଏହି ପ୍ରଶ୍ନର ବିରାମ ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଯାହାଫଳରେ ତାଙ୍କର ସମାଲୋଚକ ବା ନିନ୍ଦୁକଙ୍କ ମୁହଁ ଆପେ ଆପେ ବନ୍ଦ ହୋଇଯାଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ସତରେ ମୁଖ୍ୟମନ୍ତ୍ରୀ ସୁସ୍ଥ ନା ଅସୁସ୍ଥ? ଯଦି ମୁଖ୍ୟମନ୍ତ୍ରୀ ସୁସ୍ଥ ଅଛନ୍ତି ତାହେଲେ କାହିଁକି ପତାକା ଉତ୍ତୋଳନ କରିବାକୁ ଯାଉନାହାନ୍ତି । ଏହା ପଛରେ କୌଣସି ବିଜେଡି ନେତାଙ୍କ ପ୍ଲାନ୍ ନାହିଁ ତ? ଯାହାବି ହେଉ ବହୁ ଆରୋପ ପ୍ରତ୍ୟାରୋପ ପରେ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସିଲେ । ଏବଂ ସେ ସୁସ୍ଥ ଥିବା ପ୍ରମାଣିତ କଲେ ।

ଅନ୍ୟପଟେ ଆଉ ଗୋଟିଏ କଥା ମଧ୍ୟ ଏବେ ଚର୍ଚ୍ଚା ଚାଲିଛି, ମୁଖ୍ୟମନ୍ତ୍ରୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି । ବିଜେଡ଼ି ଏଥର ତାଙ୍କରି ନାଁକୁ ନେଇ ନିର୍ବାଚନ ଲଢିବ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନୀ ଭାଷଣରେ ସକ୍ରିୟ ହେବାକୁ ପଡ଼ିବ । କେବଳ ପଞ୍ଚାୟତ ନିର୍ବାଚନ ନୁହେଁ ଏହାପରେ ପୌର ନିର୍ବାଚନ ମଧ୍ୟ ଅଛି । ଏକ ଲମ୍ବା ନିର୍ବାଚନ ଲଢେଇରେ ଦଳକୁ ବିଜୟୀ କରିବା ପାଇଁ ସେ କାଳେ ବିଶ୍ରାମ ନେଉଛନ୍ତି । କାରଣ ନବୀନଙ୍କ ପ୍ରଚାରରେ ଦଳ ପଞ୍ଚାୟତ ଗଡ଼ ହାତେଇବା ଲକ୍ଷରେ ରହିଛି । କାରଣ ଆକଳନ କହୁଛି ମୁଖ୍ୟମନ୍ତ୍ରୀ ଯେଉଁଠି ପ୍ରଚାର କରିଛନ୍ତି ସେଠି ବିଜେଡ଼ି ଜିତିବା ଏକପ୍ରକାର ସୁନିଶ୍ଚିତ ହୋଇଛି । ନିର୍ବାଚନ ପ୍ରଚାର ଜମିଲା ବେଳକୁ ନବୀନ ମଇଦାନକୁ ଓହ୍ଲାଇ ପଡ଼ିବେ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି ।

ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଦଳୀୟ କାର୍ଯ୍ୟକ୍ରମ ଓ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବାଣ୍ଟିବା ପାଇଁ ରାଜ୍ୟ ସାରା ବୁଲୁଥିବା ବେଳେ ବିଧାନସଭା ନ ଆସିବା ଏକ ର୍ଦୁଃଭାଗ୍ୟର ବିଷୟ । ମୁଖ୍ୟମନ୍ତ୍ରୀ କେବଳ ଦଳୀୟ କାର୍ଯ୍ୟକ୍ରମ ପାଇଁ ତତ୍ପର ବୋଲି ବିରୋଧୀମାନେ ଅଭିଯୋଗ କରୁଛନ୍ତି । କିନ୍ତୁ ବିଜେଡି ସମର୍ଥକମାନେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ପାଇଁ ଲାଗିଥିବା ଜବାବ୍ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *