କୋଟିଆରେ ସିଲେକ୍ସନ ନୁହେଁ ଇଲେକ୍ସନ ହେବ

(ଦ କୁଇଭର): ବହୁ ଚର୍ଚ୍ଚିତ ବିବାଦୀୟ କୋଟିଆରେ ସିଲେକ୍ସନ ନୁହେଁ ହେବ ଇଲେକ୍ସନ । ସର୍ବଦଳୀୟ ବୈଠକ ଉଦ୍ୟମ ଫେଲ୍ ହେବା ପରେ କୋଟିଆରେ ନିର୍ବାଚନ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି । ଜିଲ୍ଲା ପରିଷଦ ପାଇଁ ଲଢେଇ କରିବେ ଦୁଇ ପ୍ରାର୍ଥୀ । ସର୍ବଦଳୀୟ ନେତାଙ୍କ ସମ୍ମତିରେ ମମତା ଜାନି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏହାପରେ ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଟିକା ଗେମେଲ ଓ ସବିନା ଗୁଡିଆ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ । କିନ୍ତୁ ଏହାପରେ ସ୍ୱାଧିନ ପ୍ରାର୍ଥୀ ସବିନା ଗୁଡିଆ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଫଳରେ ଏବେ ଜିଲ୍ଲା ପରିଷଦ ପାଇଁ ଦୁଇ ପ୍ରାର୍ଥୀ ମମତା ଜାନି ଓ ଟିକା ଗେମେଲଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ।

ଗତ କିଛି ବର୍ଷ ଧରି ଆନ୍ଧ୍ରର ଷଡଯନ୍ତ୍ରକୁ ନେଇ ଚିନ୍ତାରେ ଓଡ଼ିଶା ପ୍ରଶାସନ । ପୂର୍ବରୁ ଆନ୍ଧ୍ର ଓଡ଼ିଶାରେ ଅନୁପ୍ରବେଶ କରି ଖୁଲମଖୁଲା ଅଗଣତାନ୍ତ୍ରିକ ଭାବେ ନିର୍ବାଚନ କରିସାରିଛି । ସବୁ ଦେଖି ମଧ୍ୟ ଓଡ଼ିଶା ସରକାର ଆନ୍ଧ୍ର ନିର୍ବାଚନକୁ ଅଟକାଇପାରିନଥିଲେ । ଯାହାକୁ ନଜରରେ ରଖି ସର୍ବଦଳୀୟ ନେତା କୋଟିଆରେ ସର୍ବସମ୍ମତି କ୍ରମେ ପ୍ରାର୍ଥୀ ଚୟନ କରିଥିଲେ । କିନ୍ତୁ ପରେ ସ୍ୱାଧିନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଯାହା ନିର୍ବାଚନ ସ୍ଥିତିକୁ ଗୋଳିଆ କରିଦେଇଥିଲା । ଆଜି ଦିନ ତମାମ ସେଠାରେ ବୈଠକ ଚାଲିଥିଲା । ହେଲେ କୌଣସି ଅଙ୍କ ଛିଡିଲା ନାହିଁ । ସ୍ୱାଧିନ ପ୍ରାର୍ଥୀ ଟିକା ଗେମେଲଙ୍କୁ ଆନ୍ଧ୍ରର ସମ୍ପୂର୍ଣ୍ଣ ସମର୍ଥନ ରହୁଥିବାରୁ ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ନାହିଁ ବୋଲି ସୂଚନା ମିଳିଛି। ଆନ୍ଧ୍ରର ଦଲାଲ ଓ ଏଜେଂଟ ମାନେ ଟିକା ଗେମେଲଙ୍କୁ ସମର୍ଥନ କରୁଥିବା ଜଣାପଡିଛି । କୋଟିଆରେ ପଂଚାୟତ ନିର୍ବାଚନକୁ ଭଣ୍ଡୁର କରିବାକୁ ଆନ୍ଧ୍ର ଷଡଯନ୍ତ୍ର କରୁଥିବା ଖବର ପାଇ ପରେ ଏକାଠି ହୋଇଥିଲେ ସର୍ବଦଳୀୟ ନେତା । ନିଷ୍ପତି ହୋଇଥିଲା ସର୍ବସମ୍ମତିରେ ପ୍ରାର୍ଥୀ ବଛାଯିବ, କିନ୍ତୁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ସ୍ଥିତିକୁ ଗୋଳିଆ କରିଦେଇଛି ।

କୋଟିଆକୁ ନେଇ ଦୀର୍ଘଦିନ ଧରି ଓଡିଶା-ଆନ୍ଧ୍ର ମଧ୍ୟରେ ବିବାଦ ଲାଗିରହିଛି । ଆନ୍ଧ୍ରର ଅଧିକାରୀମାନେ ବିଭିନ୍ନ ପ୍ରସଙ୍ଗ ଆଳରେ କୋଟିଆରେ ବାରମ୍ବାର ଅନୁପ୍ରବେଶ କରୁଛନ୍ତି । ଓଡିଶା ଏହାର ଜୋରଦାର ବିରୋଧ କରିଆସୁଛି । ଏପରିକି ଗତବର୍ଷ କୋଟିଆରେ ଆନ୍ଧ୍ର ପକ୍ଷରୁ ଏକତରଫା ନିର୍ବାଚନ ମଧ୍ୟ କରାଯାଇଥିଲା । ଏହାକୁ ଓଡିଶା ଜୋରଦାର ବିରୋଧ କରିଥିଲା । ଜୋରଦାର ବିରୋଧ ସତ୍ତେ୍ୱ ମଧ୍ୟ ଓଡ଼ିଶାରେ ନିର୍ବାଚନ କରିବାକୁ ଆନ୍ଧ୍ର ସଫଳ ହୋଇଥିଲା ।

Leave a Reply

Your email address will not be published. Required fields are marked *