ହାତ ଛାଡ଼ି ପଦ୍ମ ଧରିଲେ କଂଗ୍ରେସ ନେତା ଆରପିଏନ୍ ସିଂ: ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଲଢିପାରନ୍ତି ନିର୍ବାଚନ

(ଦ କୁଇଭର): ଉତ୍ତରପ୍ରଦେଶରେ କଂଗ୍ରେସକୁ ବଡ଼ ଝଟକା । ହାତ ଛାଡ଼ି ପଦ୍ମ ଧରିଲେ ବରିଷ୍ଠ କଂଗ୍ରେସ ନେତା ଆରପିଏନ୍ ସିଂ । ଉତ୍ତରପ୍ରଦେଶର ଜଣାଶୁଣା ଚେହେରା ତଥା କଂଗ୍ରେସ ନେତା ଆରପିଏନ୍ ସିଂହ ନିଜର ପୁରୁଣା ଦଳ କଂଗ୍ରେସର ହାତ ଛାଡି ଏବେ ବିଜେପିରେ ଯୋଗ ଦେଇଛନ୍ତି । ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ ଓ ୟୁପି ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌଯ୍ୟଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଆରପିଏନ୍ ବିଜେପିରେ ସାମିଲ ହେବା ପରେ ଉତ୍ତରପ୍ରଦେଶରେ ବିଜେପି ଆହୁରି ଅଧିକ ମଜବୁତ୍ ହେବ । ତେଣୁ ବିଜେପି ତାଙ୍କୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ଟୁଇଟ୍ କରି କହିଛନ୍ତି । ଯେତେବେଳେ ସାରା ଦେଶ ଗଣତନ୍ତ୍ର ଦିବସର ଉତ୍ସବ ମନାଉଛି । ସେତେବେଳେ ମୁଁ ମୋ ରାଜନୈତିକ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି, ଜୟ ହିନ୍ଦ ।

ଆରପିଏନ୍ ସିଂହ ବିଜେପିରେ ସାମିଲ ହେବା ଚର୍ଚ୍ଚା ଗତ କିଛି ଦିନ ଧରି ହୋଇ ଆସୁଥିଲା । ତେବେ ସେ ବିଜେପିରେ ସାମିଲ ହେବା ପରେ ଏବେ ସ୍ୱାମୀ ପ୍ରସାଦ ମୌର୍ୟ୍ୟଙ୍କ ବିରୋଧରେ ମୈଦାନକୁ ଓହ୍ଲାଇବେ। ଯାହା ଫଳରେ ଉତ୍ତରପ୍ରଦେଶରେ ଯୋଗୀ-ଅଖିଲେଶଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ବିଜେପି ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ୟ୍ୟଙ୍କୁ ସମାଜବାଦୀ ପାର୍ଟି କୁଶୀନରାର ପଡରୌନା ଆସନରୁ ନିର୍ବାଚନ ଲଢିବାକୁ ସୂଯୋଗ ମିଳିଛି। ତେଣୁ ବିଜେପି ତାଙ୍କୁ ଏହି ଆସନରୁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *