ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଦଳକୁ ଫେରିଲେ ରୋହିତ

(ଦ କୁଇଭର): ଦକ୍ଷିଣ ଆଫ୍ରିକାରେ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜରେ ପରାଜୟ ବରଣ କରିବା ପରେ ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷ ପାଇଁ ଦଳ ଘୋଷଣା କରିଛି ବିସିସିଆଇ । ଆହାତ କାରଣରୁ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍ ପଡ଼ିଥିଲେ ଅଧିନାୟକ ରୋହିତ ଶର୍ମା । ତେବେ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ହ୍ୱାଇଟ ବଲ ସିରିଜକୁ ଦଳକୁ ଫେରିଛନ୍ତି ରୋହିତ । ଉଭୟ ଟି-୨୦ ଓ ଦିନିକିଆ ସିରିଜର ନେତୃତ୍ୱ ନେବେ ରୋହିତ ଶର୍ମା । ସେହିପରି ଭାବରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ଉପଲବ୍ଧ ରହିବେ ।

ଅନ୍ୟପକ୍ଷରେ ଦୀର୍ଘଦିନର ବ୍ୟବଧାନ ପରେ ହ୍ୱାଇଟ ବଲ୍ ଫର୍ମାଟକୁ ଫେରିଛନ୍ତି କୁଲଦୀପ ଯାଦବ । କୁଲଦୀପଙ୍କ ସହ ଯୁବ ସ୍ପିନର ରବି ବିଷ୍ଣୋଇଙ୍କୁ ମଧ୍ୟ ଉଭୟ ଟି-୨୦ ଓ ଦିନିକିଆ ଦଳରେ ସାମିଲ କରାଯାଇଛି । ରବି ବିଷ୍ଣୋଇଙ୍କ ସହ ଅଲରାଉଣ୍ଡର ଦିପକ ହୁଡ୍ଡାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ଓ୍ୱେଷ୍ଟଇଣ୍ଡିଜ୍ ସିରିଜ ପାଇଁ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସାମିଙ୍କୁ ଉଭୟ ଦିନିକିଆ ଏବଂ ଟି-୨୦ ସିରିଜରୁ ବିଶ୍ରାମ ଦିଆଯାଇଛି । ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଉଭୟ ଦିନିକିଆ ଏବଂ ଟି-୨୦ ଦଳରୁ ବାଦ୍ ଦିଆଯାଇଛି । ଭୁବନେଶ୍ଵର କୁମାରଙ୍କୁ ଦିନିକିଆ ଦଳରୁ ବାଦ୍ ଦିଆଯାଇଥିବା ବେଳେ ଟି-୨୦ ଦଳରେ ସାମିଲ୍ କରାଯାଇଛି । ସେହିପରି ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କୁ ମଧ୍ୟ ଦିନିକିଆ ଦଳରୁ ବାଦ୍ ଦିଆଯାଇ ଟି-୨୦ ଦଳରେ ସାମିଲ କରାଯାଇଛି ।

ସେହିପରି ଭାବରେ ଆଗାତ କାରଣରୁ ଦଳରୁ ବାଦ୍ ପଡ଼ିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ ପାଇଁ ଦଳରେ ସାମିଲ କରାଯାଇନାହିଁ ।ସେହି ପରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଶ୍ରୀଲଙ୍କା ସିରିଜ୍ରେ ଦଳରେ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି। ଉଭୟ ଖେଳାଳି ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀରେ ରହିଛନ୍ତି ।

ଭାରତୀୟ ଦିନିକିଆ ଦଳ:ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପ ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଶିଖର ଧାଓ୍ଵନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଦୀପକ ହୁଡ୍ଡା, ଋଷଭ ପନ୍ତ (ଓ୍ଵିକେଟ୍ କିପର), ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଓ୍ଵାଶିଂଟନ ସୁନ୍ଦର, ରବି ବିଶ୍ନୋଇ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଅଭେଶ ଖାନ।

ଭାରତୀୟ ଟି-୨୦ ଦଳ:ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପ ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଭଷ ପନ୍ତ (ଓ୍ଵିକେଟ୍ କିପର), ଭେଙ୍କଟେଶ ଆୟର, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ରବି ବିଶ୍ନୋଇ, ଅକ୍ଷର ପଟେଲ୍, ୟୁଜବେନ୍ଦ୍ର ଚହଲ, ଓ୍ଵାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ଭୁବନେଶ୍ଵର କୁମାର, ଅଭେଶ ଖାନ, ହର୍ଷଲ ପଟେଲ୍

Leave a Reply

Your email address will not be published. Required fields are marked *