Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ସିଦ୍ଧୁ ନା ଚନ୍ନି: କିଏ ହେବ ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ?

(ଦ କୁଇଭର): ପଞ୍ଜାବରେ କିଏ ହେବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ? କିଏ ଧରିବ ପଞ୍ଜାବ କଂଗ୍ରେସର ମଙ୍ଗ? କାହାକୁ ବିଶ୍ୱାସ କରି ଟିକେଟ୍ ଦେବ ଦଳ? ତାହାକୁ ନେଇ ଲାଗିରହିଛି ସସପେନ୍ସ । ପାଖେଇ ଆସୁଛି ପଞ୍ଜାବ ବିଧାନସଭା ନିର୍ବାଚନ । ନିର୍ବାଚନ ଯେତେ ପାଖେଇଆସୁଛି ରାଜନୈତିକ ମୈଦାନ ସେତେ ସରଗରମ ହେବାରେ ଲାଗିଛି । ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ଆରମ୍ଭ ହୋଇଯାଇଛି ମାନସମନ୍ଥନ । ଏକ ଜନସଭାରେ ସାମ୍ନାସାମ୍ନି ହୋଇଛନ୍ତି ସିଦ୍ଧୁ ଓ ଚନ୍ନି । ଜାଲନ୍ଦରରେ ଆୟୋଜିତ ରାହୁଲ ଗାନ୍ଧୀଙ୍କ ରାଲିରେ ଦେଖିବାକୁ ମିଳିଥିଲା କଂଗ୍ରେସର ଏପରି ହାଇଡ୍ରାମା । ମୁଖିଆଙ୍କ ସାମ୍ନାରେ ଦଳର ଦୁଇ ବରିଷ୍ଠ ନେତାଙ୍କ ଏଭଳି ଆଚରଣ ପଞ୍ଜାବରେ କଂଗ୍ରେସର ସ୍ଥିତିକୁ ପଦାରେ ପକାଇଛି ।

ପୂର୍ବରୁ ନିଜ ଦଳର ଅନ୍ତଃକନ୍ଦଳ ପାଇଁ କ୍ୟାପଟେନ୍ ଅମରିନ୍ଦର ସିଂଙ୍କୁ ହରାଇସାରିଛି କଂଗ୍ରେସ । ତେଣୁ ବର୍ତ୍ତମାନ ପଞ୍ଜାବ କଂଗ୍ରେସ ପାଖରେ ରହିଛି ଦୁଇଟି ଚେହେରା । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜୋତ୍ ସିଂ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି । ଏହି ଦୁଇ ଚେହେରାଙ୍କ ମଧ୍ୟରୁ ଜଣଙ୍କୁ ବାଛିବ ଦଳ । କିନ୍ତୁ ଏହି ଦୁଇଜଣଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ଯାହାର ଝଲକ ଜାଲନ୍ଦରରେ ଆୟୋଜିତ ରାହୁଲ ଗାନ୍ଧୀଙ୍କ ରାଲିରେ ଦେଖିବାକୁ ମିଳିଥିଲା । ସିଦ୍ଧୁ ନିଜ ଭାଷଣରେ କହିଥିଲେ କି, ପଞ୍ଜାବ ଜାଣିବାକୁ ଚାହୁଁଛି କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ଯଦି ଏହାର ଉତ୍ତର ମିଳେ ତେବେ ପଞ୍ଜାବରେ ୭୦ ସିଟ୍ ସହିତ ସରକାର ଗଠନ କରିବ କଂଗ୍ରେସ ।

ଅନ୍ୟପଟେ ଚନ୍ନି କହିଛନ୍ତି, ମୋତେ ୧୧୧ଦିନ ମିଳିଛି, ନା ମୁଁ ଶୋଇଛି, ନା କାହାକୁ ଶୋଇବାକୁ ଦେଇଛି । ଯଦି ପାର୍ଟିକୁ ମୋ କାମ ପସନ୍ଦ ଆସିଛି, ତେବେ ମୋତେ ପୂରା ୫ ବର୍ଷ ସୂଯୋଗ ମିଳୁ । ସିଦ୍ଧୁଙ୍କୁ ଟାର୍ଗେଟ କରି ଚନ୍ନି କହିଥିଲେ କି, ବାହାର ଲୋକଙ୍କୁ ମୌକା ଦିଆନଯାଉ, ଯେଉଁଥିପାଇଁ ସେ ଆମ ଉପରେୀ ପ୍ରଶ୍ନ ଉଠାଇବେ । ଦଳରେ ଆମ ଭିତରେ କନ୍ଦଳ ଚାଲିଛି ବୋଲି ଲୋକେ କହୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେ ନେଇ ଆଗୁଆ ଘୋଷଣା କରିବାକୁ ହେବ ।

ମଞ୍ଚ ଉପରେ ଦୁଇ ନେତାଙ୍କ ଏଭଳି ଆରୋପ ପ୍ରତ୍ୟାରୋପ ଦେଖିବା ପରେ ରାହୁଲ ଗାନ୍ଧି କହିଥିଲେ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହା କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ । ଏହାସହ ସେ କହିଛନ୍ତି, ସିଦ୍ଧୁ ଓ ଚନ୍ନୀଙ୍କ ମଧ୍ୟରୁ ଯିଏ ବି ନେତୃତ୍ୱ ନେବ ତାଙ୍କୁ ଅନ୍ୟଜଣେ ସହଯୋଗ କରିବ ।

ତେବେ ଆମ୍ ଆଦମୀ ପାର୍ଟି ପରି କଂଗ୍ରେସ ମଧ୍ୟ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହାର ନିଷ୍ପତ୍ତି ଜନତାଙ୍କ ଉପରେ ଛାଡ଼ିବ ବୋଲି ଚର୍ଚ୍ଚା ହେଉଛି । ଦଳର ଅନ୍ତଃକନ୍ଦଳ ମଧ୍ୟରେ ରାହୁଲ ଗାନ୍ଧୀ କିପରି ପଞ୍ଜାବ ନିର୍ବାଚନ ଲଢିବେ ତାହା ବର୍ତ୍ତମାନ ସନ୍ଦେହ ଘେରରେ । ତେଣୁ ପାର୍ଟି ହାଇକମାଣ୍ଡ କ’ଣ ନିଷ୍ପତ୍ତି ନେଉଛନ୍ତି, ସିଦ୍ଧୁ ନା ଚନ୍ନି, କିଏ ଧରିବ ପଞ୍ଜାବ କଂଗ୍ରେସର ମଙ୍ଗ, ତାହା ଦେଖିବାକୁ ବାକି ରହିଲା ।

Exit mobile version