Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଖସିବ ପାରଦ ବଢିବ ଶୀତ: ଆଜିଠୁ ପୁଣି ଥରିବ ଓଡ଼ିଶା

(ଦ କୁଇଭର): ଖସିବ ପାରଦ ବଢିବ ଶୀତ । ଆଜିଠୁ ୩୦ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ପୁଣି ବଢ଼ିବ ଶୀତ। ୩ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ଖସିବ ରାତିର ତାପମାତ୍ରା। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏଚ୍.ଆର୍. ବିଶ୍ୱାସ । ତାଙ୍କ କହିବାନୁଯାୟୀ, ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେବ।

ସେ କହିଛନ୍ତି, ୨୮ ତାରିଖ ରାତିରେ ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି। ସେହିପରି ୨୯ ଓ ୩୦ ତାରିଖ ରାତିରେ ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର କଳାହାଣ୍ଡି, ଦେବଗଡ଼ ଓ ଅନୁଗୋଳ ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହୋଇପାରେ। ୩୦ ତାରିଖ ପରେ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବନି। ତେବେ ତାପମାତ୍ରା ଟିକେ ବଢ଼ିପାରେ ବୋଲି ଏଚ.ଆର. ବିଶ୍ୱାସ କହିଛନ୍ତି।

ସେହିପରି ରାଜଧାନୀ ଭୁବନେଶ୍ୱରରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆଜି ଓ ଆସନ୍ତାକାଲି ଏଠାରେ ତାପମାତ୍ରା ମଧ୍ୟ ହ୍ରାସ ପାଇବ। ଆଜି ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ପାଖାପାଖି ରହିପାରେ। ସେହିପରି ଏବେ ୫ ଦିନ ପର୍ୟ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ କହିଛନ୍ତି।

Exit mobile version