(ଦ କୁଇଭର): କୋଭିଡ ଠୁ ଭୟଙ୍କର ନେତା । ସାରା ବିଶ୍ୱରେ କୋଭିଡକୁ ସମସ୍ତେ ଡରୁଛନ୍ତି କିନ୍ତୁ, ଭାରତ ତଥା ଓଡ଼ିଶାରେ ନେତାଙ୍କୁ ଭୟ କରୁଛି କୋଭିଡ । ସେଥିପାଇଁ ନେତାଏ ଖୁଲମଖୁଲା କରୁଛନ୍ତି ନିର୍ବାଚନ ପ୍ରଚାର । ସତେ ଯେମିତି ନିର୍ବାଚନ ବେଳେ ହେବନି ସଂକ୍ରମଣ । ସାରା ଦେଶରେ କୋଭିଡର ଭୟାବହତା ଥିବା ବେଳେ ଓଡ଼ିଶାରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ । ଏବେ ଚାଲିଛି ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା । ନିର୍ବାଚନ ପାଇଁ ସରକାରୀ ପ୍ରସ୍ତୁତି ବେଳେ ହଠାତ୍ ବଢିଚାଲିଲା କୋଭିଡ ସଂକ୍ରମଣ । କିଛି ଦିନ ମଧ୍ୟରେ ୧୧ ହଜାର ପର୍ଯ୍ୟନ୍ତ ଛୁଇଁଗଲା ସଂଖ୍ୟା । ସରକାର ଚେଇଁ ଉଠିଲେ । ସମୀକ୍ଷା, ବୈଠକ ଓ ସଚେତନ ପାଇଁ ତତ୍ପର ହୋଇଉଠିଲେ । ପୁଣି ଥରେ ରାଜ୍ୟ ସାରା ଖେଳିଗଲା କୋଭିଡର ଆତଙ୍କ । ଆଖିଆଗରେ ନାଚିଗଲା କରୋନାର ପ୍ରଥମ ଓ ଦ୍ୱିତୀୟ ଲହରର କରୁଣ ଚିତ୍ର । କିନ୍ତୁ ଯେତେବେଳେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ସରିଲା, ତା ପରେ କମିବା ଆରମ୍ଭ ହେଲା ସଂକ୍ରମଣ । ଆଉ ଏବେ ପ୍ରଚାର ଆରମ୍ଭ ହେବା ବେଳକୁ କୋଭିଡ ସଂକ୍ରମଣ ଏବେ ସରକାରଙ୍କ ନିୟନ୍ତ୍ରଣରେ । ହଟିଗଲା କଟକଣା । କାହିଁକି ନା, ମୈଦାନକୁ ଓହ୍ଲାଇଲେ ନେତା । କରିବେ ନିର୍ବାଚନ ପ୍ରଚାର ।

ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଏତେ ମାତ୍ରାରେ କମିବାରେ ଲାଗିଛି ଯେ, ଲାଗୁଛି ସତେ ଯେପରି ଏହା ଗୋଟେ ସଂଖ୍ୟା ଖେଳ । କାରଣ ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ୍ ଧୀରେ ଧୀରେ କମିବାରେ ଲାଗିଛି । ଲଗାତର ଭାବେ ପଜିଟିଭ୍ ରେଟ୍ ନିମ୍ନଗାମୀ ହେଉଛି । ଗତ ସପ୍ତାହେ ହେବ ୧ ହଜାର ଲେଖାଏ ବ୍ୟବଧାନରେ ପଜିଟିଭ୍ ସଂଖ୍ୟା କମିଛି । ଲାଗୁଛି ଭୋଟ୍ ବେଳକୁ ରାଜ୍ୟରୁ କରୋନା ମୂଳପୋଛ ହୋଇଯିବ ।

ଗତ ୧୯ ତାରିଖରେ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୧୧,୬୦୭ ଛୁଇଁଥିଲା । ଏବଂ ୨୪ ତାରିଖରେ ଏହା ୭୨୯୧ ଏବଂ ୨୭ ତାରିଖରେ ତାହା ୫୯୦୧କୁ ଖସିଆସିଥିଲା । କିନ୍ତୁ ଆଜି ଏହା ୪୮୪୩ରେ ପହଞ୍ଚିଛି । ଏହି ଗ୍ରାଫ୍ ସୂଚାଉ ନାହିଁତ ଏହା ସଂଖ୍ୟାର ଖେଳ । ଏଠାରେ ପ୍ରଶ୍ନ ଉଠୁଛି, ସତରେ କୋଭିଡ କମୁଛି ନା ଏହାକୁ ଜାଣିଶୁଣି କମାଯାଉଛି । ପଞ୍ଚାୟତ ନିର୍ବାଚନ ପାଇଁ ଏପରି ପ୍ଲାନ୍ କରାଯାଇନାହିଁ ତ? କାହାଠୁ ମିଳିବ ଏସବୁ ପ୍ରଶ୍ନର ଉତ୍ତର ।

Leave a Reply

Your email address will not be published. Required fields are marked *