‘ରାଜ୍ୟପାଳ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଧମକାଉଛନ୍ତି’

(ଦ କୁଇଭର): ଚରମସୀମାରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବିବାଦ । ପଶ୍ଚିମବଙ୍ଗ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଲଢ଼େଇ ଦିନକୁ ଦିନ ଘନେଇବାରେ ଲାଗିଛି। ଲଢେଇ ଏତେ ଉଗ୍ରରୂପ ଧାରଣ କରିଛି ଯେ, ଉଭୟଙ୍କ ମଧ୍ୟରେ କଳହ ବ୍ୟକ୍ତିଗତ ସ୍ତରକୁ ଯାଇଛି। ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏଥିସହ ସେ ରାଜ୍ୟପାଳଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରିଦେଇଛନ୍ତି ବୋଲି କହିଛନ୍ତି । ମମତା ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ରାଜ୍ୟପାଳ ତାଙ୍କ ଫୋନକୁ ଟ୍ୟାପିଂ କରୁଛନ୍ତି। ଏମିତିକି ରାଜ୍ୟ ଅଧିକାରୀଙ୍କୁ ରାଜ୍ୟପାଳ ଧମକ ଦେଉଥିବା ମମତା ଅଭିଯୋଗ ଆଣିଛନ୍ତି।

ଏ ସମ୍ପର୍କରେ ମମତା କହିଛନ୍ତି, ମୁଁ ଅନେକଥର ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଚିଲି ଲେଖିଛି। ରାଜ୍ୟପାଳ କୌଣସି କଥା ଶୁଣୁ ନଥିବା ଏବଂ ଓଲଟି ସମସ୍ତଙ୍କୁ ଧମକାଉଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ସେ କହିଛନ୍ତି, ଆମେ ଗତ ବର୍ଷେ ହେଲା ହଇରାଣ ହେଉଛେ। ରାଜ୍ୟପାଳ ଅନେକ ଫାଇଲ କ୍ଲିଅର କରୁ ନାହାନ୍ତି। ସେ ସବୁ ଫାଇଲକୁ ବହୁଦିନ ଧରି ପକାଇ ରଖୁଛନ୍ତି। ଏହି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀଙ୍କୁ ୪ ଥର ଚିଠି ଲେଖିଲେଣି ବୋଲି ମମତା କହିଛନ୍ତି ।

ସେହିପରି ତାଙ୍କ ଫୋନ୍ ଟ୍ୟାପିଂ ପାଇଁ ସେ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କୁ ଦାୟୀ କରିଛନ୍ତି। ରାଜ୍ୟପାଳ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କୁ ଧମକାଉଛନ୍ତି ବୋଲି ମମତା ଅଭିଯୋଗ ଆଣିଛନ୍ତି। କାହିଁକି ପ୍ରଧାନମନ୍ତ୍ରୀ ତାଙ୍କୁ ହଟାଉ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ରାଜ୍ୟପାଳ ହାଉସରୁ ପେଗାସସ୍ ଚାଲୁଛି ବୋଲି ମମତା ଅଭିଯୋଗ ଆଣିଛନ୍ତି।

Leave a Reply

Your email address will not be published. Required fields are marked *