‘୨୦୨୪ରେ ଭାରତ କବଜାକୁ ଆସିପାରେ ପିଓକେ’

(ଦ କୁଇଭର): ମୋଦୀ ପ୍ରଧାନମନ୍ତ୍ରୀ ରହିଲେ, ୨୦୨୪ରେ ଭାରତ କବଜାକୁ ଆସିପାରେ ପିଓକେ । କେବଳ ଆଳୁ ପିଆଜର ଦାମ କମାଇବା ପାଇଁ ପ୍ରଧାନମନ୍ତ୍ରୀ ହୋଇନାହାନ୍ତି ମୋଦୀ । ଅଖଣ୍ଡ ଭାରତର ପରିକଳ୍ପନାକୁ ସଫଳ କରିବାକୁ ମୋଦୀ ଆରମ୍ଭ କରିଛନ୍ତି ଅଭିଯାନ । ମହାରାଷ୍ଟ୍ରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କିଛି କହିଛନ୍ତି କେନ୍ଦ୍ରମନ୍ତ୍ରୀ କପିଲ ପାଟିଲ । ଏକ ସଭାରେ ସେ କହିଛନ୍ତି, ଲୋକେ ପିଆଜ ଓ ଆଳୁ ଦରବୃଦ୍ଧିକୁ ନେଇ ଅଭିଯୋଗ କରୁଛନ୍ତି । କିନ୍ତୁ ପିଜ୍ଜା ଓ ମଟନ କିଣିବାରେ କୁଣ୍ଠାବୋଧ କରୁନାହାନ୍ତି । ତେବେ ମୋଦୀ ପିଆଜ ଓ ଆଳୁ ଦର କମ୍ କରିବାକୁ ପ୍ରଧାନମନ୍ତ୍ରୀ ହୋଇନାହାନ୍ତି । ସବୁ ସାମଗ୍ରୀର ଦର ବଢିବା ପଛର କାରଣ ଜାଣିଲେ ଆପଣ ମଧ୍ୟ ମୋଦୀ ସରକାରଙ୍କୁ ଦୋଷ ଦେବେ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହାସହ କପିଲ କହିଛନ୍ତି, ନରସିଂହ ରାଓ ଯେବେ ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ମିଳିତ ସଂସଦ ଅଧିବେଶନ ଡାକିଥିଲେ ଏବଂ ଏଥିରେ ଏକ ବିଲ୍ ପାସ୍ କରାଯାଇଥିଲା । ଯେଉଁଥିରେ କାଶ୍ମୀର ବିବାଦରେ ଥିଲା । କାଶ୍ମୀରର କିଛି ଅଞ୍ଚଳ ପାକିସ୍ତାନରେ ଥିବାରୁ ଏହା ଦେଶ ପାଇଁ ସମସ୍ୟା ସୃଷ୍ଟି କରୁଛି । ତେଣୁ ଏହାକୁ ପୁଣି ଥରେ ଫେରାଇ ଆଣିବାକୁ ପଡ଼ିବ । ଆଉ ଏବେ ମୋଦୀ ସରକାରରେ ଅମିତ ଶାହାଙ୍କ ଭଳି ଚାଣକ୍ୟ ଅଛନ୍ତି । ଅପେକ୍ଷା କରନ୍ତୁ, ହୋଇପାରେ ୨୦୨୪ ସୁଦ୍ଧା ପାକ୍ ଅଧିକୃତ କାଶ୍ମୀର ବା ପିଓକେ ଭାରତରେ ହୋଇଯିବ । ତେଣୁ ଆଳୁ, ପିଆଜ, ଡାଲିର ଦରବୃଦ୍ଧିର ଅଭିଯୋଗରୁ ଆମକୁ ବାହାରକୁ ଆସିବାକୁ ପଡ଼ିବ ବୋଲି କହିଛନ୍ତି କପିଲ ପାଟିଲ ।

ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲଗାତର ଭାବେ ଦେଶର ନେତୃତ୍ୱ ନେବାର ଆବଶ୍ୟକତା ରହିଛି । କାରଣ ମୋଦୀ ସରକାରରେ ହିଁ ସିଏଏ ଆଇନ ଆସିଛି, ସମ୍ବିଧାନରୁ ୩୭୦ ଓ ୩୫ (ଏ) ଧାରା ହଟିଛି । ଆଉ ଏବେ ଏହା ଦର୍ଶାଉଛି ଯେ, ଆଗାମୀ ୨୦୨୪ ସୁଦ୍ଧା ପିଓକେ ମଧ୍ୟ ଭାରତର ଅଂଶବିଶେଷ ହୋଇସାରିଥିବ । ଦେଶ ପାଇଁ ସାହସିକ ପଦକ୍ଷେପ ନେଉଥିବା ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

Leave a Reply

Your email address will not be published. Required fields are marked *