ଉତ୍ତରପ୍ରଦେଶରେ ଏଥର ଦେଢଶୂର-ଭାଇବୋହୂ ଲଢେଇ !

(ଦ କୁଇଭର): ଉତ୍ତରପ୍ରଦେଶରେ ବଢିଲାଣି ନିର୍ବାଚନୀ ତାତି । ଚାଲିଛି ଘମାଘୋଟ ଲଢେଇ । ନିର୍ବାଚନ ଯେତେ ପାଖଉଛି, ସେତେ ରୋଚକ ହେଉଛି ରାଜନୈତିକ ଦ୍ୱନ୍ଦ । ୟୁପିରେ ଯୋଗୀଙ୍କୁ ଟକ୍କର ଦେବାକୁ ଅଖିଲେଶ ମୈଦାନକୁ ଓହ୍ଲାଇ ଥିବା ବେଳେ ତାଙ୍କ ଗଡ଼ରେ ପଶି ତାଙ୍କୁ ଚେକ୍ ଦେବାକୁ ବିଜେପି ପ୍ରସ୍ତୁତ କରୁଛି ବ୍ଲୁ ପ୍ରିଣ୍ଟ । ଅଖିଲେଶଙ୍କୁ କିଏ ଦେବ ଟକ୍କର? ଅଖିଲେଶଙ୍କୁ କିଏ କରିବ ଚିତପଟାଙ୍ଗ ? ଅଖିଲେଶଙ୍କ ବିରୋଧରେ କାହାକୁ ମୈଦାନକୁ ଓହ୍ଲାଇବ ବିଜେପି । ତାହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା ।

ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ, ଅଖିଲେଶଙ୍କ ଗଡ଼ରେ ତାଙ୍କ ଭାଇବୋହୂ ତାଙ୍କୁ ଦେଇପାରନ୍ତି ଟକ୍କର । ଅର୍ଥାତ୍ ଏଥର ୟୁପିରେ ଦେଖିବାକୁ ମିଳିପାରେ ଦେଢଶୂର-ଭାଇବୋହୂ ଲଢେଇ । ମୂଲାୟାମ ପରିବାରର ସାନବୋହୂ ଅପର୍ଣ୍ଣା ଯାଦବ ଏଥର ୟୁପିରେ ଅଖିଲେଶଙ୍କୁ ଦେଇପାରନ୍ତି ଟକ୍କର । ଅଖିଲେଶଙ୍କ ବିରୋଧରେ ବିଜେପି ଅପର୍ଣ୍ଣାକୁ କରହଲ ଆସନରୁ ଟିକେଟ ଦେଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପୂର୍ବରୁ ଏହି ଆସନରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିସାରିଛନ୍ତି ଅଖିଲେଶ ।

ସେପଟେ ଦଳ ଦଳ ଯାହା ନିଷ୍ପତ୍ତି ନେବ, ତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି କହିସାରିଛନ୍ତି ଅପର୍ଣ୍ଣା । ବିଜେପି ବର୍ତ୍ତମାନ ସୁଦ୍ଧା କରହଲ ଆସନରୁ କୌଣସି ପ୍ରାର୍ଥୀଙ୍କ ନା ଘୋଷଣା କରିନାହିଁ । କିନ୍ତୁ ଅପର୍ଣ୍ଣାଙ୍କୁ ବିଜେପି ଏହି ଆସନରୁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ଅପର୍ଣ୍ଣା ଏହି ଆସନରୁ ପ୍ରତିଦ୍ୱନ୍ଦିତା କରନ୍ତି ତେବେ ୟୁପି ନିର୍ବାଚନ ଆହୁରି ରୋଚକ ହେବ ।

Leave a Reply

Your email address will not be published. Required fields are marked *