ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ

(ଦ କୁଇଭର): କଳାହାଣ୍ଡିରେ ପୁଣି ରକ୍ତମୁଖା ହେଲେ ମାଓବାଦୀ । ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଜଣେ କାର୍ୟ୍ୟରତ ସାମ୍ବାଦିକଙ୍କ ଜୀବନ ନେଇଛି। ଆଉ ଏଭଳି ଏକ ଦୁଃଖଦ ଖବର ଆସିଛି କଳାହାଣ୍ଡି ଜିଲ୍ଲାର ମାଓ ଅଧ୍ୟୁଷିତ ମଦନପୁର ରାମପୁର ଅଞ୍ଚଳରୁ । ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ ଆଜି ଡମକର୍ଲାଖୁଣ୍ଟଆ ବ୍ରିଜରେ ମାଓବାଦୀଙ୍କ ପୋଷ୍ଟର ଲାଗି ଥିବାର ଖବର ପାଇ ଘଟଣାସ୍ଥଳକୁ ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ । ଆଉ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ହିଁ ରାସ୍ତାରେ ବଡ ବିସ୍ଫୋରଣ ହୋଇଥିଲା । ଫଳରେ ଗାଡିରୁ ଛିଟିକି ପଡିଥିଲେ ରୋହିତ । ଆଉ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା ।

ବିସ୍ଫୋରଣ ପରେ ଘଟଣାସ୍ଥଳରେ ସିଆରପିଏଫ ଓ ପୋଲିସ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ପୂରା ଅଞ୍ଚଳକୁ ଘେରାଉ କରି ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ସୁରକ୍ଷାକର୍ମୀ । ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ କୌଣସି ସାମ୍ବାଦିକ ମୃତ୍ୟୁ ବରଣ କରିବା ଏହା ରାଜ୍ୟରେ ପ୍ରଥମ । ଏହି ଖବର ମିଳିବା ପରେ ସମ୍ପୂର୍ଣ୍ଣ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *