ଜଗନ୍ନାଥଙ୍କ ନାଁରେ ରାଜନୀତି କରୁଛି ବିଜେଡି: କଂଗ୍ରେସ

(ଦ କୁଇଭର): ଜଗନ୍ନାଥଙ୍କ ନାଁରେ ରାଜନୀତି କରୁଛି ବିଜେଡି । ଏଭଳି ଅଭିଯୋଗ କରିଛି କଂଗ୍ରେସ । କୋରାପୁଟ ଜୟପୁରର ପୂର୍ବତନ ବିଧାୟକ ତଥା ବିଜେଡି ନେତା ରବି ନନ୍ଦଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଗୋଟିଏ ସଭାରେ ରବି ନନ୍ଦ ମହାପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ଧରି ଭୋଟରଙ୍କୁ ବିଜେଡିକୁ ଭୋଟ୍ ଦେବା ପାଇଁ ଶପଥ କରାଉଥିବା ଅଭିଯୋଗ ଆଣିଛି କଂଗ୍ରେସ । ରବି ନନ୍ଦ ଦୁଇ ଦିନ ତଳେ ଏପରି କରିଥିଲେ ବୋଲି କଂଗ୍ରେସ କହିଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଧର୍ମନିରପେକ୍ଷ ଚେହେରା ରହିଥିବା ବେଳେ ତାଙ୍କ ଦଳର ନେତା କିଭଳି ଧର୍ମ ନାଁରେ ଭୋଟ୍ ମାଗୁଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏ ନେଇ ତୁରନ୍ତ ବିଜେଡି ସ୍ପଷ୍ଟୀକରଣ ରଖିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ।

ସେପଟେ ରବି ନନ୍ଦଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ନିର୍ବାଚନ କମିଶନଙ୍କ ପାଖରେ ଦାବି ରଖିଛି କଂଗ୍ରେସ। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ରବି ନନ୍ଦ । ତାଙ୍କ କହିବା ହେଲା ଆଜ୍ଞାମାଳ ଛୁଆଁଇ କାହାକୁ ଶପଥ ପାଠ କରାଯାଇ ନାହିଁ । ଓଡିଆମାନେ ସମସ୍ତ ଶୁଭକାମ ଆରମ୍ଭ କରିବା ଆଗରୁ ଜଗନ୍ନାଥଙ୍କ ଆଶୀର୍ବାଦ ମାଗିଥାନ୍ତି । ତେଣୁ ନିର୍ବାଚନ ପୂର୍ବରୁ ଆଜ୍ଞାମାଳ ରଖି ଲୋକଙ୍କ ଆଶୀର୍ବାଦ ମାଗିଥିବା ସଫେଇ ରଖିଛନ୍ତି ରବି ନନ୍ଦ ।

Leave a Reply

Your email address will not be published. Required fields are marked *