ବିଧାୟକ ଓ ପୂର୍ବତନ ବିଧାୟକ ମୁହାଁମୁହିଁ

(ଦ କୁଇଭର): ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନକୁ ନେଇ ଗାଁ ଗଣ୍ଡାରେ ଜମିଲାଣି ପ୍ରଚାର । ପ୍ରଚାର ମୌଦାନରେ ବହୁ ହେବିୱେଟ୍ ନେତା । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନେତା, ମନ୍ତ୍ରୀ ଏବେ ଗାଁରେ ଡେରା ପକାଇଛନ୍ତି । ତେବେ ଏହାରି ଭିତରେ ବାଲେଶ୍ୱର ସୋରରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର । ବାଲେଶ୍ୱର ସୋରରେ ମୁହାଁମୁହିଁ ହୋଇଛନ୍ତି ବିଧାୟକ ଓ ପୂର୍ବତନ ବିଧାୟକ । ପୂର୍ବତନ ବିଧାୟକ ସୁରେନ୍ଦ୍ର ପାରମାଣିକଙ୍କୁ ବର୍ତ୍ତମାନର ବିଧାୟକ ଅଶାଳୀନ ଭାଷା ପ୍ରୟୋଗ ସହ ତାଙ୍କ କର୍ମୀମାନେ ରାସ୍ତାରେ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ମୋବାଇଲରେ କଏଦ ହୋଇଥିବା ଏ ଦୃଶ୍ୟ ଦୁଇ ଦିନ ତଳର ବୋଲି ଜଣାପଡ଼ିଛି।

ଗତ ବୁଧବାର ଦିନ ପଂଚାୟତ ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ଅନନ୍ତପୁର ନିକଟରେ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ନିର୍ବାଚନ ମଣ୍ଡଳୀର ଟଙ୍କା ଅନ୍ୟତ୍ର ସ୍ଥାନାନ୍ତର ହେବା ନେଇ ପ୍ରଶ୍ନ କରିଥିଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ରାସ୍ତା ଉପରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ଏହି ସମୟରେ ପୂର୍ବତନ ବିଧାୟକଙ୍କ ପ୍ରତି ବର୍ତ୍ତମାନର ବିଧାୟକ ଅଶାଳୀନ ଭାଷା ପ୍ରୟୋଗ କରିଥିବା ଭାଇରାଲ ଭିଡିଓରେ ଶୁଣିବାକୁ ମିଳୁଛି। ପରେ ତାଙ୍କ କର୍ମୀମାନେ ପୂର୍ବତନ ବିଧାୟକଙ୍କୁ ଠେଲା ପେଲା ମଧ୍ୟ କରିଥିବା ପୂର୍ବତନ ବିଧାୟକ ସୁରେନ୍ଦ୍ର ପାରମାଣିକ ଅଭିଯୋଗ କରିଛନ୍ତି ତେବେ ଏ ନେଇ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ପ୍ରତିକ୍ରିୟା ମିଳି ପାରିନ ନାହିଁ ।

ପୂର୍ବତନ ବିଧାୟକ ସୁରେନ୍ଦ୍ର ପାରମାଣିକ କହିଛନ୍ତି, ବିଧାୟକ ଲୋକଙ୍କ ନିକଟରେ ଉତ୍ତରଦାୟୀ ରହୁ ନାହାନ୍ତି। ସାଧାରଣ ଲୋକ ତାଙ୍କୁ ପ୍ରଶ୍ନ ପଚାରିବାକୁ ସାହସ କରିପାରୁ ନାହାନ୍ତି। ମୁଁ ପଚାରିବାରୁ ସୁରକ୍ଷାକର୍ମୀ ଓ ପୁଲିସ୍ ଲଗାଇ ମୋତେ ହଟାଇ ପଳାଇଗଲେ। ତାଙ୍କର ଏପରି ବ୍ୟବହାର ଗଣତନ୍ତ୍ର ପ୍ରତି ଘୋର ଅପମାନ।

Leave a Reply

Your email address will not be published. Required fields are marked *