ଆରପାରିରେ ଡିସ୍କୋ କିଙ୍ଗ୍ ବାପି ଦା’

(ଦ କୁଇଭର): ବଲିଉଡ୍କୁ ଲାଗିଲା ଆଉ ଏକ ବଡ ଝଟ୍କା । ପୁଣି ଏକ ଦୁଃଖଦ ଖବର ବଲିଉଡ୍କୁ ଦୋହୋଲାଇ ଦେଇଛି, କିଛି ଦିନ ତଳେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକ ହୋଇଥିବା ବେଳେ ଏବେ ଆସିଛି ଆଉ ଏକ ଦୁଃଖଦ ଖବର । ବଲିଉଡ୍ ଲୋକପ୍ରିୟ ସଂଙ୍ଗୀତ ନିର୍ଦ୍ଦେଷକ ତଥା କଣ୍ଠଶିଳ୍ପୀ ବାପି ଲହିରିଙ୍କ ପରଲୋକ ଘଟିଛି । ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି । ତାଙ୍କର ଦିନକୁ ଦିନ ସ୍ୱାସ୍ଥ୍ୟ ବିଗିଡିବା ହେତୁ କିଛି ମାସଧରି ତାଙ୍କୁ ହସ୍ପିଟାଲରେ ରଖାଯାଇଥିଲା । ଗତ ସୋମବାର ସେ ଘରକୁ ଫେରିଥିଲେ ହେଲେ ପୁଣି ଗତକାଲି ସ୍ୱାସ୍ଥ୍ୟବସ୍ଥା ବିଗିଡିବା ହେତୁ ତାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା ହେଲେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁକୁ ନେଇ ବଲିଉଡ୍ରେ ଶୋକର ଛାୟା ଖେଳି ଯାଇଛି ।

୧୯୫୨ ନଭେମ୍ବର ୨୭ ତାରିଖରେ ପଶ୍ଚିମବଙ୍ଗର ଜଲପାଇଗୁଡାରେ ଏକ ବ୍ରାହ୍ମଣ ପରିବାରରେ ସେ ଜନ୍ମ ହୋଇଥିଲେ । ତାଙ୍କ ବାପା ମା’ ମଧ୍ୟ ଗାୟକ ଥିଲେ । ସେ ମଧ୍ୟ ନିଜ କ୍ୟାରିୟର ଗାୟକ ଭାବେ ଆରମ୍ଭ କରିଥିଲେ । ବଲିଉଡ୍ର ‘ଡିସ୍କୋ କିଙ୍ଗ୍’ ଭାବେ ସବୁଠି ପରିଚିତ ଥିଲେ ବାପି ଦା’ । ଏଥିସହ ବହୁତ ହିଟ୍ ଗୀତ ଦେଇ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କଠାରୁ ହିଁ ଆରମ୍ଭ ହୋଇଥିଲା ଡିସ୍କୋ ଟ୍ରେଣ୍ଡ । ୮୦ ଓ ୯୦ ଦଶକରେ ବଲିଉଡ୍ରେ ରାଜ କରୁଥିଲେ ବାପି ଦା’ । ସୁପର ହିଟ୍ ଫିଲ୍ମ ‘ଚଲତେ ଚଲତେ’ , ‘ଡିସ୍କୋ ଡ୍ୟାନସର’ , ‘ଶରାବୀ’ ‘ନମକ ହଲାଲ’ ଭଲି ଫିଲ୍ଲରେ ସଂଙ୍ଗୀତ ନିର୍ଦ୍ଦେଷକ ଭାବେ ବେଶ ଲୋକପ୍ରିୟତା ସାଉଣ୍ଟି ଥିଲେ ବାପି ଦା’ । ଶେଷଥର ପାଇଁ ତାଙ୍କୁ ‘ବିବି-୧୫’ରେ ସଲ୍ମାନଙ୍କ ସହ ଦେଖିବାକୁ ପାଇଥିଲେ ଦର୍ଶକ ।

Leave a Reply

Your email address will not be published. Required fields are marked *