(ଦ କୁଇଭର): ସବୁ ପ୍ରତୀକ୍ଷାର ଅନ୍ତ ଘଟାଇଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ଗୁଜବ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ତେବେ ଆଜି ମୁଖ୍ୟମନ୍ତ୍ରୀ ଏହାର ଅନ୍ତ ଘଟାଇଛନ୍ତି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ପରିଦର୍ଶନ କରିବା ସହ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକାମ୍ର ପ୍ରକଳ୍ପ ସମୀକ୍ଷା କରି କହିଛନ୍ତି, ମୁଁ ସୁସ୍ଥ ଅଛି, ରାଜ୍ୟବାସୀଙ୍କ ସେବାରେ ଅଛି’,

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବା ଅବସରରେ ସେ କହିଛନ୍ତି,’ମୁଁ ସୁସ୍ଥ ଅଛି, ଯେତେବେଳେ ନିର୍ବାଚନ ଆସେ ସେତେବେଳେ ଏଭଳି ଗୁଜବ ପ୍ରଚାର ପ୍ରସାର କରାଯାଏ କିନ୍ତୁ ଏବେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ମୁଁ ଅଧିକ କିଛି କହିବିନି।’

ନବୀନ ବିରୋଧୀଙ୍କୁ ତାଙ୍କ ସହଜ ସରଳ ଢଙ୍ଗରେ କହିଛନ୍ତି ଯେ ଯେତେବେଳେ ନିର୍ବାଚନ ଆସେ ଓ ମୋ ସ୍ୱାସ୍ଥ୍ୟ ଖରାପ ବୋଲି ଗୁଜବ ପ୍ରଚାର ହୁଏ, ସେତେବେଳେ ବିଜୁ ଜନତା ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥାଏ। ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ରାଜ୍ୟବାସୀଙ୍କ ସେବାରେ ଅଛନ୍ତି।

Leave a Reply

Your email address will not be published. Required fields are marked *