ଗୁଜବକାରୀଙ୍କୁ କାହିଁକି ଅନୁକମ୍ପା ?

(ଦ କୁଇଭର): କିଏ ସେ ଗୁଜବକାରୀ ? ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କିଏ କରୁଛି ଅପପ୍ରଚାର ? ନବୀନଙ୍କୁ ନେଇ କିଏ କରୁଛି ଏପରି ହୀନ ରାଜନୀତି ? ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସାମ୍ନାକୁ ଆସିବାକୁ ପଡ଼ୁଛି ଓ ସର୍ବସମ୍ମୁଖରେ ମୁଁ ସୁସ୍ଥ ଅଛି ବୋଲି ପ୍ରମାଣ ଦେବାକୁ ପଡ଼ୁଛି । ପ୍ରକୃତରେ ଏହି ଗୁଜବ ପଛରେ କିଏ ? କାହିଁକି ଚୁପ୍ ଗୁଇନ୍ଦା ବିଭାଗ ? କାହିଁକି ନିରବ ତୃତୀୟ ମହଲା ? ଲଗାତର ୫ ଥର ଧରି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥାବସ୍ଥାକୁ ନେଇ ରାଜ୍ୟ ସାରା ଗୁଜବ ପ୍ରଚାର ହୋଇସାରିଛି । କିନ୍ତୁ ସବୁ ଜାଣି ମଧ୍ୟ ଚୁପ୍ ଗୁଇନ୍ଦା ବିଭାଗ । ପୋଲିସ ବିଭାଗ ବି ନିରବ । କାହିଁକି ଗୁଜବକାରୀଙ୍କ ବିରୋଧରେ ହେଉନି କାର୍ଯ୍ୟନୁଷ୍ଠାନ?

ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଚିଠି ପାଇଁ ସାରା ଦେଶ ଉଠିଥିଲା ପଡ଼ିଥିଲା । ସଙ୍ଗେ ସଙ୍ଗେ ଚେଇଁ ଉଠିଥିଲା ଗୁଇନ୍ଦା ବିଭାଗ । ଆକ୍ସନ ମୁଡ଼କୁ ଆସିଥିଲା ପୋଲିସ । କିନ୍ତୁ ଏ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଶୂନ । କାର୍ଯ୍ୟନୁଷ୍ଠାନ ତ ନେବା ଦୂରର କଥା କିଏ ଏଭଳି ଅପପ୍ରଚାର କରୁଛି ତାହା ମଧ୍ୟ ଏପର୍ଯ୍ୟନ୍ତ ଚିହ୍ନଟ ହୋଇପାରିଲାନାହିଁ ।

ଚର୍ଚ୍ଚା ହେଉଛି ମୁଖ୍ୟମନ୍ତ୍ରୀ କୁଆଡ଼େ ନିଜ ଆତ୍ମପ୍ରଚାର ପାଇଁ ଏଭଳି ସୁପରିକଳ୍ପିତ ଯୋଜନା କରୁଛନ୍ତି । ନିଜେ ଅସୁସ୍ଥ ଥିବା ଖବର ରାଜ୍ୟ ସାରା ପ୍ରଘଟ କରି ପୁଣି ସାମ୍ନାକୁ ଆସି ନିଜର କ୍ରେଜ୍ ବଢାଉଛନ୍ତି । ଏଭଳି ସମାନ ଅଭିଯୋଗ ମଧ୍ୟ ଆଣିଛି କଂଗ୍ରେସ । କଂଗ୍ରେସର ଅଭିଯୋଗ ଅନୁଯାୟୀ, ଶାସକ ଦଳ ଜାଣିଣୁଣି ଏଭଳି ପ୍ଲାନ୍ କରୁଛି । ଯାହା ଫଳରେ ଅଧିକ ଲୋକପ୍ରିୟ ହୋଇପାରିବେ ନବୀନ ।

ପ୍ରକୃତରେ ଜାଣିଶୁଣି ଏପରି ପ୍ଲାନ୍ କରାଯାଇନାହିଁ ତ? ଯଦି ପ୍ରକୃତରେ ଏଭଳି ଗୁଜବ ଆଉ କିଏ କରୁଥାଏ ତେବେ କାହିଁକି ଚୁପ୍ ଗୁଇନ୍ଦା ବିଭାଗ? ଏଭଳି ଅନେକ ପ୍ରଶ୍ନ ଏବେ ରାଜ୍ୟବାସୀଙ୍କ ମନରେ ଉଙ୍କି ମାରୁଛି । ତେବେ ପ୍ରକୃତରେ କିଏ ଏହି ଗୁଜବକାରୀ ତାହା ରାଜ୍ୟବାସୀ ଜାଣିବା ଦରକାର ।

Leave a Reply

Your email address will not be published. Required fields are marked *