ବ୍ରିଜ୍ ତଳକୁ ଓଲଟିଲା ବରଯାତ୍ରୀ କାର୍: ବର ସମେତ ୯ ମୃତ

(ଦ କୁଇଭର): ହସଖୁସିରେ ଚାଲିଥିଲା ବରଯାତ୍ରୀ କାର୍ । ସମସ୍ତେ ଖୁସିରେ ବିଭୋର ଥିଲେ । କିନ୍ତୁ ସମ୍ନାରେ ଥିବା ପୋଲ ତଳେ ଲୁଚି ବସିଥିଲା ମୃତ୍ୟୁ । ହଠାତ୍ ନଦୀକୁ ଖସିଲା ବରଯାତ୍ରୀ କାର। ବର ସମେତ ଅକାଳରେ ୯ ଜଣଙ୍କ ଚାଲିଗଲା ପ୍ରାଣ। ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ରାଜସ୍ଥାନର କୋଟା ଅଞ୍ଚଳରେ। ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ବରଯାତ୍ରୀ ନେଇ ଯାଉଥିବା ଏକ କାର୍‌ ରାଜସ୍ଥାନ କୋଟାର ନାୟାପୁରା ବ୍ରିଜରୁ ନିୟନ୍ତ୍ରଣ ହରାଇ ଚମ୍ବଲ ନଦୀକୁ ଖସି ପଡିଛି। ଫଳରେ ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବର ମଧ୍ୟ ସାମିଲ ଅଛି। ସେପଟେ ଏହି ଦୁର୍ଘଟଣାରେ ଜଣେ ଗୁରୁତର ଥିବା ସୂଚନା ମିଳିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାର୍‌ଟିକୁ ନଦୀ ଭିତରୁ ବାହାର କରିବା ପାଇଁ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ଏବଂ କେଉଁ ପରିସ୍ଥିିତିରେ ଦୁର୍ଘଟଣା ଘଟିଲା ତାହାର ତଦନ୍ତ ଜାରି ରଖିଛି ପୋଲିସ ।

ବରଯାତ୍ରୀ ଯାଉଥିବା ସମୟରେ କୋଟାରେ ନୟାପୁରା ପୋଲ ତଳକୁ କାର୍‌ଟି ଭାରସାମ୍ୟ ହରାଇ ଚମ୍ବଲ ନଦୀକୁ ଖସିପଡିଥିଲା। କାର୍‌ରେ ଥିବା ଲୋକମାନେ ଡୋର୍‌ ଖୋଲିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ। ଫଳରେ କାର୍‌ ଭିତରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଜଣଙ୍କ ମୃତଦେହ ନଦୀରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ସକାଳେ ସ୍ଥାନୀୟ ଲୋକେ ଏହି ଦୁର୍ଘଟଣା ନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।

ସେପଟେ ଏହି ଦୁର୍ଘଟଣା ଖବରକୁ ନେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଦୁଃଖ ପ୍ରକାଶ କରିଛନ୍ତି। ସବୁ ସମ୍ଭବ ସହାୟତା ପାଇଁ ଆଶ୍ୱାସନା ଦେଇଛନ୍ତି। ପ୍ରଶାସନଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *