ଗଣମାଧ୍ୟମ ପ୍ରତି ଏ ଆକ୍ରୋଶ କାହିଁକି ?

(ଦ କୁଇଭର): ପଞ୍ଚାୟତ ଭୋଟରେ ବଢୁଛି ହିଂସା । ଏଥର ସବୁଠୁ ଅଧିକ ଆକ୍ରୋଶର ଶିକାର ହେଉଛନ୍ତି ସାମ୍ବାଦିକ । କେଉଁଠି ଗୋଡ଼େଇ ଗୋଡ଼େଇ ପିଟୁଛନ୍ତି ତ ଆଉ କେଉଁଠି କ୍ୟାମେରା ବୁମ୍ ଛଡ଼ାଇ ନେଉଛନ୍ତି । ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନାହାନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଗଣମାଧ୍ୟମ ପ୍ରତି କାହିଁକି ଏ ଆକ୍ରୋଶ? ଗଣମାଧ୍ୟମ ତାର ମର୍ଯ୍ୟାଦା ହରାଇ ନାହିଁ ତ? ନିରପେକ୍ଷତାର ଛାପକୁ ବିକି ଦେଇ ନାହିଁ ତ? ତଥା କଥିତ ଗଣମାଧ୍ୟମର ମୁଖିଆମାନଙ୍କର ଚାଟୁକାରିତା ବଢିଯାଇନାହିଁ ତ? ସାମ୍ବାଦିକ ତାର ଦାୟିତ୍ୱ ନିର୍ବାହ କରିବାରେ ଭୁଲ କରୁନାହିଁ ତ?

ଯଦି ଏହା ନୁହେଁ, ତାହେଲେ ସରକାର ତାଙ୍କର କର୍ତ୍ତବ୍ୟରେ ଅବହେଳା କରୁ ନାହାନ୍ତି ତ? ବା ରାଜନୈତିକ ଦଳମାନେ ଉଶୃଙ୍ଖଳିତ ହୋଇଯାଇଛନ୍ତି କି? ସରକାରୀ ଦଳ କ୍ଷମତାର ଅପବ୍ୟବହାର କରୁଛନ୍ତି କି? ଏମିତି ଗଦା ଗଦା ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ୨୦୧୨ ପଞ୍ଚାୟତ ନିର୍ବାଚନରେ ଏପରି ସାମ୍ବାଦିକଙ୍କୁ ଆକ୍ରମଣ ଦେଖିବାକୁ ମିଳିନଥିଲା । ସମାନ ପରିସ୍ଥିତି ମଧ୍ୟ ୨୦୧୭ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଥିଲା । କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନରେ ସବୁ ସୀମା ଟପିଯାଇଛି ପଞ୍ଚାୟତ ନିର୍ବାଚନୀ ହିଂସା ।

କେବଳ ଟିଭି, ସମ୍ବାଦପତ୍ରରେ ସାମ୍ବାଦିକତା ବର୍ତ୍ତମାନ ସୀମିତ ହୋଇ ନାହିଁ । ଡିଜିଟାଲ ଯୁଗରେ ବର୍ତ୍ତମାନ ଡିଜିଟାଲ ମିଡିଆ ବର୍ତ୍ତମାନ ପ୍ରତି ଗାଁ ଗହଳିରେ ପହଞ୍ଚି ପାରିଛି । ତେଣୁ କାଳେ ସରକାରଙ୍କ ଦୁର୍ନିତିକୁ ସାମ୍ନାକୁ ନେଇ ଆସିବେ ସେଥିପାଇଁ କିଛି ରାଜନୈତିକ ଦଳମାନେ ଏପରି ପ୍ଲାନ୍ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ କିଛି ଗଣମାଧ୍ୟମ ସରକାରଙ୍କ ହଁରେ ହଁ ମାରୁଥିବା ବେଳେ କିଛି ଗଣମାଧ୍ୟମ ସରକାରଙ୍କ ବୋଲକରା ହୋଇ ରହିଛନ୍ତି । ଲୋକଙ୍କ ସମସ୍ୟା ଦେଖାଇବା ପରିବେର୍ତ୍ତ ରାଜନେତାଙ୍କ ହାତବାରିଶି ହୋଇ ରହିଥିବା ଲୋକେ କହୁଛନ୍ତି । ତେଣୁ ଅନେକ ସ୍ଥାନରେ ସାମ୍ବାଦିକମାନେ ମଧ୍ୟ ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ତେଣୁ ଯଦି ଗଣମାଧ୍ୟମ ନିରପେକ୍ଷ ହୋଇ ସାଧାରଣ ଲୋକଙ୍କ ସମସ୍ୟାକୁ ସାମ୍ନାକୁ ଆଣନ୍ତା ତେବେ ହୁଏତ ଏଭଳି ଆକ୍ରୋଶର ଶିକାର ହେବାକୁ ପଡ଼ି ନଥାନ୍ତା ।

Leave a Reply

Your email address will not be published. Required fields are marked *