ବିକାଶ ନା ଥଇଥାନ ପାଇଁ ବିଧାନ ପରିଷଦ ?

(ଦ କୁଇଭର): ଓଡ଼ିଶାରେ ବିଧାନ ପରିଷଦ କାହିଁକି ? ବିଧାନ ପରିଷଦର ଆବଶ୍ୟକତା କ’ଣ? କାହିଁକି ବିଧାନ ପରିଷଦକୁ ନେଇ ଜୋରଦାର ହେଉଛି ରାଜନୀତି ? ଓଡ଼ିଶାରେ ବିଧାନ ପରିଷଦ ପ୍ରତିଷ୍ଠାକୁ ନେଇ ଚାଲିଛି ଟଣାଓଟରା । କେନ୍ଦ୍ର-ରାଜ୍ୟ ଭିତରେ ହେଉଛି ଦୋଷ ଲଦାଲଦି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଓଡ଼ିଶାରେ ବିଧାନ ପରିଷଦ କ’ଣ ନିହାତି ଆବଶ୍ୟକ ? ୨୨ ବର୍ଷ ଧରି ସରକାର ବିନା ବିଧାନପରିଷଦରେ ଚଳାଇଛନ୍ତି ଶାସନ । ଯେଉଁଠି ବିଧାନସଭାରେ ଚାଲିଛି ବିଜେଡିର ଏକଛତ୍ରବାଦ । ବିରୋଧୀଙ୍କୁ ବାଦ୍ ଦେଇ ପାସ୍ ହେଉଛି ବିଲ୍ । ସରକାର ଯାହା ଚାହୁଁଛନ୍ତି ତାହା ବି କରିପାରୁଛନ୍ତି, ତେଣୁ ପୁଣି ବିଧାନପରିଷଦ କାହିଁକି ?

ଆଇନ କହୁଛି, ସାଧାରଣତଃ ରାଜ୍ୟରେ ଯେଉଁମାନେ ଉଚ୍ଚ ଶିକ୍ଷିତ ଲୋକ ଥାଆନ୍ତି, ସେମାନଙ୍କୁ ବିଧାନ ପରିଷଦକୁ ପଠାଯାଇଥାଏ । ଯାହା ଫଳରେ ସେମାନେ ବିଧାନସଭାରେ ପାସ୍ ହେଉଥିବା ବିଲକୁ ତର୍ଜମା କରିପାରିବେ । ଏବଂ ଯଦି କିଛି ଅନାବଶ୍ୟକ ଆଇନ ବିଧାନ ପରିଷଦରେ ପାସ୍ ହୋଇଥାଏ ତାକୁ ବିଧାନ ପରିଷଦରେ ଉଲ୍ଲେଖ କରିପାରିବେ । କିନ୍ତୁ ଏଠି ବିଜେଡି ଯାହ ଚାହୁଁଛି ତାହା କରୁଛି, ତେଣୁ ବିଧାନ ପରିଷଦ କାହିଁକି ? ବର୍ତ୍ତମାନ ସମୁଦାୟ ୬ଟି ରାଜ୍ୟରେ ରହିଛି ବିଧାନ ପରିଷଦ । ବିଧାନସଭା ପରିଚାଳନା ପାଇଁ ଅଧିକ ଖର୍ଚ୍ଚ କାରଣରୁ ଅନେକ ରାଜ୍ୟରେ ବିଧାନ ପରିଷଦ ନାହିଁ । କିନ୍ତୁ ଓଡ଼ିଶାରେ ବିଧାନ ପରିଷଦ ପ୍ରତିଷ୍ଠା ପାଇଁ କାହିଁକି ଚାଲିଛି ରାଜନୀତି ?

ଓଡ଼ିଶା ବର୍ତ୍ତମାନ ଋଣ ଭାରରେ ବୁଡ଼ି ରହିଛି । ଯଦି ଏଭଳି ପରିସ୍ଥିତିରେ ବିଧାନ ପରିଷଦ ପ୍ରତିଷ୍ଠା କରାଯାଏ, ତେବେ ଏଥିପାଇଁ ଅତିରିକ୍ତ ୧୦୦ କୋଟିରୁ ଅଧିକ ବଜେଟ୍ ଦରକାର । ତେଣୁ ଏହି ଅତିରିକ୍ତ ବଜେଟ୍ ବୋଝ ଜନସାଧାରଣଙ୍କ ଉପରେ କାହିଁକି ? କରୋନା ଭଳି ଏକ ଦୁର୍ଦ୍ଦିନ ସମୟରେ କାହିଁକି ଦରକାର ବିଧାନ ପରିଷଦ ?

ରାଜ୍ୟରେ ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତା ଦଖଲ କରି ରଖିଛି ବିଜୁ ଜନତା ଦଳ । କହିବାକୁ ଗଲେ ରାଜ୍ୟରେ ବିଜେଡି ଏକଛତ୍ରବାଦୀ ଶାସନ ଚଳାଇଛି ବୋଲି ବିରୋଧୀମାନେ କହୁଛନ୍ତି । ଏତେ ସବୁ ପରେ ବି ଓଡ଼ିଶାରେ କାହିଁକି ଆବଶ୍ୟକ ବିଧାନ ପରିଷଦ? ତାହାକୁ ନେଇ ବର୍ତ୍ତମାନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *