ମଧୁସ୍ମିତାଙ୍କୁ ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ କଲା କଂଗ୍ରେସ

(ଦ କୁଇଭର): ଚାଲିଛି ପୌର ନିର୍ବାଚନ ପାଇଁ ଜୋରଦାର କସରତ । ସବୁ ଦଳ ସେମାନଙ୍କ ପ୍ରାର୍ଥୀ ଚୟନ କରିବାରେ ଲାଗିପଡ଼ିଛନ୍ତି । ତେବେ ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ମଧୁସ୍ମିତା ଆଚାର୍ୟ୍ୟଙ୍କୁ କଂଗ୍ରେସ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ବିଧିବଦ୍ଧ ଭାବେ ମଧୁସ୍ମିତାଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍‌, ଓଡ଼ିଶୀ ନୃତ୍ୟ ଶିଳ୍ପୀ । କଲେଜ ଜୀବନରେ ମଧ୍ୟ ରାଜନୀତିରେ ଜଡିତ ଥିଲେ । ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ ହେଉଛନ୍ତି ମଧୁସ୍ମିତା। କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନାରେ ସହାୟତା କରୁଥିଲେ । ସେ ଦୃଷ୍ଟିକୋଣରୁ କଂଗ୍ରେସ ତାଙ୍କ ଉପରେ ଭରସା କରିଛି ।

ସୂଚନା ମୁତାବକ, ଆଜିଠାରୁ ପୌର ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୭ ତାରିଖ ପର୍ୟ୍ୟନ୍ତ ଚାଲିବ । ୧୪ ତାରିଖ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହିଭଳି ୨୪ ମାର୍ଚ୍ଚରେ ନିର୍ବାଚନ ହେବାକୁ ଥିବା ବେଳେ ୨୬ ମାର୍ଚ୍ଚରେ ଭୋଟ ଗଣତି ହେବ । ମୋଟ ୧୦୬ଟି ପୌରାଞ୍ଚଳ ଏବଂ ୩ଟି ମହାନଗର ନିଗମ ପାଇଁ ପଡିବ ଭୋଟ ।

Leave a Reply

Your email address will not be published. Required fields are marked *