ଋଷ-ୟୁକ୍ରେନ୍ ମହାଯୁଦ୍ଧ: ଫାଇଦା ଉଠାଉଛି ଚାଇନା

(ଦ କୁଇଭର): ଋଷ-ୟୁକ୍ରେନ୍ ମହାଯୁଦ୍ଧ । ଫାଇଦା ଉଠାଉଛି ଚାଇନା । ଚାଇନା କେବଳ ବେପାରୀ । ବେପାର ପାଇଁ କିଛି କି କରିପାରେ । ଋଷ-ୟୁକ୍ରେନ୍ ଯୁଦ୍ଧ ଚାଇନା ପାଇଁ ପାଲଟିଛି ସୂଯୋଗ । ଋଷ ଉପରେ ଲଗାଇଥିବା ପ୍ରତିବନ୍ଧକ ବର୍ତ୍ତମାନ ଆମେରିକା ଉପରେ ଭାରି ପଡ଼ୁଛି । ଆମେରିକାର ପ୍ରତିବନ୍ଧକ ଦ୍ୱାରା ଋଷର ଶୂନ୍ୟସ୍ଥାନ ପୂରଣ ପାଇଁ ଚୀନ ଦ୍ରୁତ ଗତିରେ କାର୍ଯ୍ୟ କରୁଛି । ୟୂକ୍ରେନ୍ ଉପରେ ଆକ୍ରମଣ ପରେ ଋଷର ଆର୍ଥିକ ଗଠନକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଆମେରିକା ଋଷ ଉପରେ ଅନେକ ପ୍ରତିବନ୍ଧକ ଲଗାଇଛି । ଏହାସହ ଅନେକ ଆମେରିକୀୟ ବହୁରାଷ୍ଟ୍ରୀୟ କମ୍ପାନୀ ମଧ୍ୟ ସେମାନଙ୍କ ସରକାରକୁ ସମର୍ଥନ କରି ଋଷରେ ସେମାନଙ୍କ ସେବା ବନ୍ଦ କରିଦେଇଛନ୍ତି । ଯେଉଁଥିରେ ମାଷ୍ଟର ଓ ଭିସା କାର୍ଡ ଅନ୍ତର୍ଭୁକ୍ତ । ଅର୍ଥାତ୍ ଋଷରେ ବର୍ତ୍ତମାନ ଏହି କାର୍ଡ ଗୁଡ଼ିକ କାମ କରିବ ନାହିଁ । ଆଉ ଆମେରିକୀୟ କମ୍ପାନୀ ଗୁଡ଼ିକର ଏହି ପଦକ୍ଷେପ ପରେ ଋଷରେ ଚାଇନିଜ୍ କମ୍ପାନୀ ଗୁଡ଼ିକ ପାଇଁ ନୂତନ ବ୍ୟବସାୟ ସୂଯୋଗ ଖୋଲିଛି । ଏଥିରୁ କୋଟି କୋଟି ଟଙ୍କାର ଲାଭ ପାଇବ ଚୀନ୍ ।

ଋଷରେ ଭିସା, ମାଷ୍ଟର କାର୍ଡ ପେମେଣ୍ଟ ସିଷ୍ଟମ ବଦଳରେ ସମସ୍ତ ଗ୍ରାହକଙ୍କୁ ଚାଇନିଜ୍ ୟୁନିୟନ ପେ କାର୍ଡ ଦେବାକୁ ଋଷ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାସହ ଆଗାମୀ ଦିନରେ ମାଷ୍ଟର ଓ ଭିସା କାର୍ଡ ସେବା ଯୋଗାଉଥିବା କମ୍ପାନୀ ଋଷରୁ ସମ୍ପୂର୍ଣ୍ଣ ବାହାରିଯିବେ । ଆଉ ସେଠାରେ ବେପାର କରିବ ଚାଇନା।

ବାସ୍ତବରେ ମାଷ୍ଟର ଏବଂ ଭିସା କାର୍ଡ ଋଷ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ସହଯୋଗ କରି ମାର୍ଚ୍ଚ ୯ରୁ ଋଷରେ ସେମାନଙ୍କ ସେବା ବନ୍ଦ କରିବାକୁ ଘୋଷଣା କରିଛି । ଏହାସହିତ ଋଷର କେନ୍ଦ୍ରୀୟ ବ୍ୟାଙ୍କ୍ ସୂଚନା ଦେଇଛି ଯେ, ଏହି ନିଷେଧାଦେଶ ପରେ କିଛି ସ୍ଥାନୀୟ ସେବା ପ୍ରଦାନକାରୀ ଚାଇନିଜ୍ ୟୁନିୟନ ପେ ଗ୍ରହଣ କରିବାକୁ କହିଛନ୍ତି । ତେବେ ଋଷର କେନ୍ଦ୍ରୀୟ ବ୍ୟାଙ୍କ ମା୍େଟର ଏବଂ ଭିସା କାର୍ଡ ଉପରେ ପ୍ରତିବନ୍ଧକ ଲାଗାଇଛନ୍ତି । ଋଷର କେନ୍ଦ୍ରୀୟ ବ୍ୟାଙ୍କ୍ କହିଛି ଯେ, ଋଷର ବ୍ୟାଙ୍କ ଗୁଡ଼ିକ ଚାଇନିଜ୍ ୟୁନିୟନ ପେ ଗ୍ରହଣ କରିବାକୁ ଚିନ୍ତା କରୁଛନ୍ତି । ଯାହା ବିଶ୍ୱର ୧୮୦ଟି ଦେଶରେ ପ୍ରଚଳିତ । ଏହାଫଳରେ ଋଷରେ ଚାଇନାର କମ୍ପାନୀ ବଢିବାରେ ଲାଗିଛି । ଏବଂ ଏଭଳି ଏକ ଯୁଦ୍ଧ ପରିସ୍ଥିତିରେ ମାଲେମାଲ ହେବାକୁ ଲକ୍ଷ ରଖିଛି ଚାଇନା ।

Leave a Reply

Your email address will not be published. Required fields are marked *