କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ଶ୍ରୀସନ୍ଥ

(ଦ କୁଇଭର): ପୂର୍ବତନ ଭାରତୀୟ କ୍ରିକେଟର ତଥା ପେସ୍ ବୋଲର ଏସ୍ ଶ୍ରୀସନ୍ଥ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଜଣାଇଛନ୍ତି । ୨୦୦୭ ଟି-୨୦ ବିଶ୍ଵ କପ୍ ଏବଂ ୨୦୧୧ ବିଶ୍ଵ କପ୍ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ ଏସ ଶ୍ରୀସନ୍ଥ । ଶ୍ରୀସନ୍ଥ ନିକଟରେ ରଣଜୀ ଟ୍ରଫିରେ କେରଳ ପକ୍ଷରୁ ଖେଳୁଥିଲେ। ଆହତ ହେବା ପରେ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏଥର ଆଇପିଏଲ ୨୦୨୨ ନିଲାମୀରେ ତାଙ୍କୁ କୌଣସି ଫ୍ରାଞ୍ଚାଇଜି କିଣିନଥିଲେ ।

ଶ୍ରୀସନ୍ଥ ସାମାଜିକ ଗଣମାଧ୍ୟମରେ ନିଜର ଅବସର ଘୋଷଣା ବିଷୟରେ ବୁଧବାର ସୂଚନା ଦେଇଛନ୍ତି। ଶ୍ରୀସନ୍ଥ ଲେଖିଛନ୍ତି ମୋ ପରିବାର, ମୋ ସାଥୀ ଖେଳାଳି ଓ ଭାରତବାସୀଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ଏହି ଖେଳକୁ ଭଲ ପାଉଥିବା ସମସ୍ତଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ଏହା ସହିତ ମୁଁ ଦୁଃଖର ସହିତ କ୍ରିକେଟକୁ ଅଲବିଦା ଜଣାଉଛି । ଭାରତୀୟ ଘରୋଇ କ୍ରିକେଟ ଏବଂ ସମସ୍ତ ପ୍ରକାରର କ୍ରିକେଟକୁ ବିଦାୟ ଜଣାଉଛି । ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ମୁଁ ମୋ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇବାକୁ ଚାହୁଁଛି । ଏହି ନିଷ୍ପତ୍ତିରେ ମୁଁ କେବେ ଖୁସି ହେଇ ପାରିବି ନାହିଁ ମାତ୍ର ମୁଁ ଖେଳିଥିବା ସମସ୍ତ ସମୟକୁ ଉପଭୋଗ କରିଛି ।

ଶ୍ରୀସନ୍ଥ ଭାରତ ପାଇଁ ୨୭ ଟେଷ୍ଟ ଏବଂ ୫୩ଟି ଦିନିକିଆ ଖେଳି କ୍ରମଶଃ ୮୭ ଏବଂ ୭୫ ଓ୍ଵିକେଟ୍ ନେଇଛନ୍ତି। ଏଥିସହ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦ଟି ମ୍ୟାଚ୍ ଖେଳି ୭ ଓ୍ଵିକେଟ୍ ନେଇଛନ୍ତି। ଶ୍ରୀସନ୍ଥଙ୍କ ଉପରେ ମ୍ୟାଚ୍ ଫିକ୍ସିଂ କାରଣରୁ ୨୦୧୩ରୁ ଆଜୀବନ କଟକଣା ଲଗାଯାଇଥିଲା। ମାତ୍ର ଦୁଇ ବର୍ଷ ପରେ ସ୍ଵତନ୍ତ୍ର କୋର୍ଟ ଶ୍ରୀସନ୍ଥଙ୍କୁ ମୁକ୍ତ କରିଥିଲେ। ଏହା ପରେ ୨୦୧୯ରେ ବିସିସିଆଇର ଲୋକପାଳ ଡିକେ ଜୈନ ମଧ୍ୟ ତାଙ୍କର ପ୍ରତିବନ୍ଧକୁ ହ୍ରାସ କରି ୭ ବର୍ଷ କରିଥିଲେ। ଯାହା ୨୦୨୦ରେ ସମାପ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *