ପୌର ନିର୍ବାଚନ: ବିକ୍ରି ହୋଇଯାଉଛି କି କଂଗ୍ରେସ ?

ଭୁବନେଶ୍ୱର,(ଦ କୁଇଭର): ପୌର ନିର୍ବାଚନରେ ବିକ୍ରି ହୋଇଯାଉଛି କି କଂଗ୍ରେସ ? ବିଜେଡି ପାଖରେ ବନ୍ଧା ପଡ଼ି ଯାଇଛି କି ଏହି ଜାତୀୟ ଦଳ ? ନା ଦଳର ନେତାଙ୍କ ମଧ୍ୟରେ ହୋଇଛି ଡିଲ । ଏମିତି ଅନେକ ପ୍ରଶ୍ନ ଏବେ ଘୁରି ବୁଲିଲାଣି । କାରଣ ଭୁବନେଶ୍ୱର ପୌର ନିଗମ(ବିଏମସି) ନିର୍ବାଚନରେ କଂଗ୍ରେସର କାରନାମା ୩୦ବର୍ଷର ଇତିହାସକୁ ଭାଙ୍ଗି ଦେଇଛି ।

ସାରା ଦେଶରେ କଂଗ୍ରେସ ବିରୋଧୀ ହାୱା । ସଦ୍ୟ ସମାପ୍ତ ୫ଟି ବିଧାନସଭା ନିର୍ବାଚନରେ କଂଗ୍ରେସ ସତ୍ତା ହରାଇଛି । ଏହି ଜାତୀୟ ଦଳ ଲୋକଙ୍କ ଠାରୁ ଦୂରେଇ ଯାଉଥିବା ବେଳେ ଓଡ଼ିଶାରେ ଦଳର ନେତୃତ୍ୱ ଦଳକୁ ବିଜେଡି ପାଖରେ ବିକି ଦେଇଛନ୍ତି । ଏକଥା ଏବେ ଦଳ ଭିତରେ ଜୋର ସୋର ଚର୍ଚ୍ଚା ହେଉଛି ।

ବିଏମସି ନିର୍ବାଚନରେ କଂଗ୍ରେସ ବେଶ ଦବଦବା ରଖୁଥିଲା । ବିଜେଡିକୁ କଡ଼ା ଜବାବ ଦେଉଥିଲା । ହେଲେ ଏଥର ହୋଇଛି ବିରାଟ ବ୍ୟତିକ୍ରମ । ୩୦ବର୍ଷ ମଧ୍ୟରେ କଂଗ୍ରେସର ସ୍ଥିତି ଏପରି ହୋଇ ନଥିଲା ଯାହା ୨୦୨୨ ପøର ନିର୍ବାଚନରେ ହୋଇଛି ।
କଂଗ୍ରେସ ଭୁବନେଶ୍ୱରରେ ଏତେ ଦୁର୍ବଳ ଯେ, ପ୍ରଥମଥର ପାଇଁ ବିଏମସିର ୬୭ଟି କର୍ପୋରେଟର ଆସନରେ ପ୍ରାର୍ଥୀ ଦେଇ ପାରିଲା ନାହିଁ । କଂଗ୍ରେସ ଭଳି ଜାତୀୟ ଦଳ ମାତ୍ର ୪୮ଟି ୱାର୍ଡରେ ପ୍ରାର୍ଥୀ ଦେବାକୁ ସମର୍ଥ ହେଲା । ଯାହା ଦଳୀୟ ନେତୃତ୍ୱ ପାଇଁ ଏକ ବଡ଼ ପ୍ରଶ୍ନ । କେବଳ ସେତିକି ନୁହେଁ, ଦଳ ଦେଇଥିବା ୪୮ଟି କର୍ପୋରେଟର ପ୍ରାର୍ଥୀଙ୍କ ମଧ୍ୟରୁ ଏବେ ଜଣେ ନିର୍ବାଚନରୁ ଓହରି ଯାଇଛନ୍ତି । ୧୯ନଂ ୱାର୍ଡରେ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜ୍ୟୋତ୍ସ୍ନାରାଣୀ ରାଉତରାୟ ନିର୍ବାଚନ ମଇଦାନରୁ ଓହରି ଯାଇଛନ୍ତି ।

ପ୍ରାର୍ଥୀପତ୍ର ଦାଖଲ କରି ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଥିବା ଶ୍ରୀମତୀ ରାଉତରାୟ ହଠାତ ଓହରିଗଲେ କାହିଁକି? ହାରିଯିବାର ଭୟ ରହିଛି କି? ନା ବିରୋଧୀଙ୍କ ଚାପ ଆଗରେ ମୁଣ୍ଡ ନଇଁଲେ? ନା ବିଜେପିକୁ ମାତ ଦେବା ପାଇଁ ବିଜେଡି ସହ ନିଜ ଦଳର ନେତୃତ୍ୱ ସାଲିସ କରି ଡିଲ କଲେ । ଏହି ସବୁ ପ୍ରଶ୍ନ ଏବେ ରାଜଧାନୀବାସୀଙ୍କ ମୁଣ୍ଡରେ ଉଙ୍କି ମାରୁଛି ।

Leave a Reply

Your email address will not be published. Required fields are marked *