ବିଜେଡି ପାଇଁ କାଳ ବିଦ୍ରୋହୀ

(ଦ କୁଇଭର): ବିଜେଡି ଉପରେ ଭାରି ପଡ଼ୁଛନ୍ତି ବିଦ୍ରୋହୀ । ଚିନ୍ତା ବଢାଉଛନ୍ତି ଅସନ୍ତୁଷ୍ଟ ବିଜେଡି ନେତା । ପୌର ଭୋଟ୍ ପାଇଁ ଚାଲିଛି ଜୋରଦାର କସରତ । ପଞ୍ଚାୟତ ପରି ପୌର ଗଡ଼ ହାତେଇବା ପାଇଁ ଧାଁ ଧପଡ଼ ଚାଲିଛି । କିନ୍ତୁ ବିଜେଡି ପାଇଁ ବର୍ତ୍ତମାନ କାଳ ପାଲଟିଛି ତାଙ୍କରି ବିଦ୍ରୋହୀ ନେତା । ଚଳିତ ବିଏମସି ନିର୍ବାଚନରେ ବିଜେଡି ସାମ୍ନାରେ ଛିଡ଼ା ହୋଇଛି ୨ଟି କଣ୍ଟା । ଗୋଟିଏ ହେଉଛି ଅସନ୍ତୁଷ୍ଟ ବିଜେଡି ନେତା ଓ ଅନ୍ୟଟି ହେଉଛି ଭୁବନେଶ୍ୱର ସାଂସଦ ଅପରାଜିତା ଶଢଙ୍ଗୀ । ପୌର ନିର୍ବାଚନରେ ଦେଖାଦର୍ଶନ ନଥିବା ସାଂସଦ ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛନ୍ତି । ବିଜେପି ପ୍ରାର୍ଥୀଙ୍କ ପାଇଁ ବୁଲି ବୁଲି ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି । କାହିଁକି ନା ବିଏମସିରେ ମ୍ୟାଡମଙ୍କ ବେଶ ଦବଦବା ରହିଛି ।

ଅନ୍ୟପଟେ ମଧ୍ୟ, ଉତ୍ତର ଏବଂ ଏକାମ୍ର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ଥିବା ବିଜେଡି ବିଧାୟକଙ୍କ ଅନେକ ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କୁ ଟିକେଟ ନ ମିଳିବାରୁ ସେମାନେ ବିଜେଡି ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି । ତେଣୁ ଏହା ମଧ୍ୟ ବିଜେଡି ପାଇଁ ଏକ କଣ୍ଟା ହୋଇ ଛିଡା ହୋଇଛି । କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ଅନେକ ସ୍ଥାନରେ ଏଭଳି ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳୁଛି । ଯାହା ବିଜେଡି ପାଇଁ ଏକ ପ୍ରମୁଖ ସମସ୍ୟା ହୋଇ ଛିଡ଼ା ହୋଇଛି ।

ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଆସନ ପୋଛି ନେଇଥିବା ବିଜେଡି ପାଇଁ ପୌର ଭୋଟ୍ ଚ୍ୟାଲେଞ୍ଜିଂ ହୋଇଛି । କାହିଁକି ନା ପଞ୍ଚାୟତ ନିର୍ବାଚନରେ ବିଜେଡିର ଏଭଳି ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିନଥିଲା କିମ୍ବା ବିପକ୍ଷ ଦଳମାନେ ମଧ୍ୟ ପଞ୍ଚାୟତ ନିର୍ବାଚନରେ ଏତେ ମାତ୍ରାରେ ସକ୍ରିୟ ନଥିଲେ, ଯେଉଁଭଳି ଭାବେ ପୌର ଭୋଟରେ ଦେଖିବାକୁ ମିଳୁଛି । ପଞ୍ଚାୟତ ନିର୍ବାଚନରେ ଅର୍ଥବଳ, ବାହୁବଳ ଲଗାଇ ଦେଇଥିବା ବିଜେଡି, ପୌର ଭୋଟରେ କିନ୍ତୁ ସହରୀ ଲୋକଙ୍କ ପାଖରେ ଏହି ଫର୍ମୁଲା କାମ ଦେବ ନାହିଁ ବୋଲି ବିରୋଧୀ କହୁଛନ୍ତି । ତେଣୁ ଏହି ଦୁଇଟି କଣ୍ଟାକୁ ସାମ୍ନା କରି କିଭଳି ଭାବେ ପୌର ମୁକାବିଲା କରିବ, ତାହା ଉପରେ ସମସ୍ତଙ୍କର ନଜର ରହିଛି ।

Leave a Reply

Your email address will not be published. Required fields are marked *