ଆସନ୍ତାକାଲି ଶପଥ ନେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

FILE PHOTO

(ଦ କୁଇଭର): ଆସନ୍ତାକାଲି ଶପଥ ନେବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ଡେରାଡୁନ୍ ପରେଡ୍ ଗ୍ରାଉଣ୍ଡରେ ଅପରାହ୍ଣ ୩ଟା ୩୦ରେ ଶପଥଗ୍ରହଣ ସମାରୋହ ହେବ। ଏଥିରେ ରାଜ୍ୟପାଳ ଧାମିଙ୍କୁ ଶପଥ ପାଠ କରାଇବେ। ଧାମିଙ୍କ ସହ ତାଙ୍କ କ୍ୟାବିନେଟ୍ର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିର ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହିବେ। ଏହାସହ ଶପଥ ଗ୍ରହଣ ଉତ୍ସବକୁ ସବୁ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ସେହିପରି ସାଧୁସନ୍ଥମାନଙ୍କୁ ମଧ୍ୟ ଡକାଯାଇଛି।
ଗତକାଲି ଉତ୍ତରାଖଣ୍ଡ ବିଜେପି ବିଧାୟକ ଦଳ ନେତା ଭାବେ ଧାମି ନିର୍ବାଚିତ ହୋଇଥିଲେ। ଏହାସହ ଲଗାତର ଦ୍ୱିତୀୟ ଥର ପାଇଁ ଧାମି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଯଦିଓ ଗତ ବିଧାନସଭା ନିର୍ବାଚନରେ ଧାମି ନିଜର ଖାତିମା ଆସନରୁ ପରାଜିତ ହୋଇଛନ୍ତି, ଏହାସତ୍ତ୍ୱେ ଦଳର ବିଧାୟକମାନେ ତାଙ୍କୁ ନେତା ଭାବେ ନିର୍ବାଚିତ କରିଛନ୍ତି।

ସେପଟେ ଆସନ୍ତା ୨୮ ତାରିଖରେ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାଓ୍ୱନ୍ତ। ରାଜ୍ୟପାଳ ପିଏସ୍. ଶ୍ରୀଧରନ ପିଲାଇ ତାଙ୍କୁ ଶପଥ ପାଠ କରାଇବେ। ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇପାରନ୍ତି। ଏହା ପୂର୍ବରୁ ସାଓ୍ୱନ୍ତ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ବିଜେପିର ନିଜର ୨୦ ଜଣ ବିଧାୟକ ଥିବାବେଳେ ଏମିଜିପିର ୨ ବିଧାୟକ ଓ ୩ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ସାଓ୍ୱନ୍ତଙ୍କ ପ୍ରତି ରହିଛି।

Leave a Reply

Your email address will not be published. Required fields are marked *