Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପରିବର୍ତ୍ତନର ହାୱା ପାଲଟିଛି ଆମ୍ ଆଦମୀ ପାର୍ଟି

(ଦ କୁଇଭର): ରାଜନୀତି ପବନର ମୋଡ ବଦଳାଉଛି ଆମ୍ ଆଦମୀ ପାର୍ଟି । ଆପ୍ ପାଲଟିଛି ପରିବର୍ତ୍ତନର ହାୱା । ଚିରାଚରିତ ରାଜନୀତିରୁ ବାହାରି ଲୋକଙ୍କ ସାଧାରଣ ସମସ୍ୟାକୁ ମୁଦ୍ଦା କରିଥିବା ଆପ୍ ଏବେ ସବୁ ବର୍ଗର ଆଦୃତି ଲାଭ କଲାଣି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାର ଯେଉଁଠି ଘରୋଇକରଣ ମନ୍ତ୍ର ଜପୁଛନ୍ତି, ସେଠାରେ ଆପ୍ ସରକାରୀ ସେବା ଦେଇ ଚର୍ଚ୍ଚାକୁ ଆସିଛି । ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳୀ, ପାଣି ଭଳି ଜରୁରୀ ସେବା ସରକାର ଅତି ଉତ୍ତମ ମାନର ଦେଇ ପାରିବେ ବୋଲି ଆପ୍ ପ୍ରମାଣିତ କରି ଦେଲାଣି । ଯାହା ଏବେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପାଇଁ ଆହ୍ୱାନ ପାଲଟିଛି ।

ଆପ୍ ମୁଖିଆ ଅରବିନ୍ଦ କେଜ୍ରିୱାଲ ପ୍ରମାଣିତ କରିଦେଲେଣି ଯେ, ଲମ୍ବା ସମୟ ଧରି କ୍ଷମତାରେ ରହିବା ବା କ୍ରମାଗତ ପ୍ରଚାର କଲେ ବିକାଶ ହୁଏ ନାହିଁ । ବିକାଶ ପାଇଁ ଏକ ସୁଦୂରପ୍ରସାରୀ ଯୋଜନା ଆବଶ୍ୟକ, ଯାହା ଏବେକାର ସରକାର ମାନେ କରୁନାହାନ୍ତି । ହେଲେ ବେପାରୀ ପ୍ରେମୀ ଓଡ଼ିଶା ସମେତ ଅନ୍ୟ ରାଜ୍ୟ ଗୁଡ଼ିକର ସରକାର ଓ କେନ୍ଦ୍ର ସରକାର ତାହାକୁ ମାନିବାକୁ ପ୍ରସ୍ତୁତ ହେଉନାହାନ୍ତି ।

ଆମେ କହୁଛୁ ଓଡ଼ିଶା କଥା, ଓଡ଼ିଶା ସରକାରୀ ବ୍ୟବସ୍ଥାରେ ଘରୋଇକରଣର ପ୍ରଭାବ ଅଧିକ । ଏପରିକି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ନିଯୁକ୍ତି ଓ ବିଜୁଳି ଭଳି ଜରୁରୀ ସେବା ଏବେ ବେପାରୀମାନଙ୍କ ହାତରେ । ଏହି ସବୁ ସେବା ପ୍ରଦାନ କରୁଥିବା ଓଡ଼ିଶାର ସରକାରୀ ସଂସ୍ଥାମାନେ ଫେଲ୍ ମାରିଲେ । ସରକାର ସଂସ୍ଥାଗତ ସଂସ୍କାର ଆଣିବା ପରିବର୍ତ୍ତେ, ସେବା ବ୍ୟବସ୍ଥାକୁ ଘରୋଇକଣଣ ସଂସ୍ଥା ହାତରେ ଟେକିଦେଲେ । ଯାହା ଶୋଷଣ ବଢାଇଲା । ଲୋକ ସେବା କମ୍ ପାଇଲେ, ଶୋଷିତ ଅଧିକ ହେଲେ । ଯାହାକୁ ନେଇ ସରକାରଙ୍କ ପାଖରେ ଗଦା ଗଦା ଅଭିଯୋଗ ରହିଛି । କିନ୍ତୁ ଘରୋଇ କମ୍ପାନୀ ପ୍ରେମରେ ଅନ୍ଧ ସାଜିଥିବା ବିଜେଡି ସରକାର ଲୋକଙ୍କ ଶୋଷଣ ପ୍ରତି ଆଖି ବୁଜିଦେଇ ବିକାଶର ଡିଣ୍ଡିମ ପିଟୁଛନ୍ତି ।

କେବଳ ଓଡ଼ିଶା ନୁହେଁ କେନ୍ଦ୍ର ସରକାର ବି ଘରୋଇ କମ୍ପାନୀ ପ୍ରେମରେ । ଘରୋଇକରଣ ମୋହରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଗୁଡ଼ିକ ବୋହିଯାଉଥିବା ବେଳେ, ଆପ୍ ସାଜିଛି ବ୍ୟତିକ୍ରମ । ଦିଲ୍ଲୀ ପରେ ଏବେ ପଞ୍ଜାବରେ ଆପ୍ ତାର ଅଭିଯାନକୁ ଜୋରଦାର କରିଛି । ଯାହା କେବଳ ରାଜନୈତିକ ହାୱା ବଦଳାଉନି ଏହା ଅନେକ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Exit mobile version