ନୂଆଦିଲ୍ଲୀ (ଦ କୁଇଭର): ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପ । ଯୋଜନା ହେଲା ଅବଢା । ୩୨ଶହ କୋଟି ଟଙ୍କାର ପ୍ରକଳ୍ପ । ୧୫. ୬୫ ଏକର ଯାଗାରେ ନିର୍ମାଣ ହେବ । ମାଷ୍ଟରପ୍ଲାନ୍ ବି ପ୍ରସ୍ତୁତ । ସବୁ ସରକାରୀ ବିଭାଗରେ ଆବେଦନ ବି ସରିଛି । ନିର୍ମାଣ କାର୍ଯ୍ୟ ବି ଜୋରସୋରରେ ଆଗେଇ ଚାଲିଛି । ଏତେ ସତ୍ୱେ ବି ସବୁ ଜାଣି ମଧ୍ୟ ବିଜୁ ଜନତା ଦଳ ସାଂସଦ ପିନାକୀ ମିଶ୍ର ସଂସଦରେ କହିଲେ ତିଆରି ଚାଲିଛି ମାତ୍ର ୪ଟି ଶୌଚାଳୟ । ବାସ୍ତବକୁ ଆଖି ବୁଜି ଦେଇ ଗାଲୁ ମାରିଦେଲେ କି ସାଂସଦ? ନା ବିଜେଡି ଉପରେ ବଢୁଥିବା ଚାପକୁ କମାଇବା ପାଇଁ କଥାକୁ ହାଲକା କରିଦେଲେ । ଯାହା ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଶ୍ରୀମନ୍ଦିର ଏତିହ୍ୟ କରିଡର ପ୍ରସଙ୍ଗ ଆଜି ସଂସଦରେ ଉଠିଥିଲା । ଆଉ ଏହି ପ୍ରକଳ୍ପକୁ ଲୋକସଭାରେ ଉଠାଇ ଏହାକୁ ବେଆଇନ ବୋଲି କହିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ସଢଙ୍ଗୀ । ସେ କହିଛନ୍ତି ଆମସର ଆକ୍ଟ ୧୯୫୮ ଅନୁଯାୟୀ, ଐତିହ୍ୟସ୍ଥଳର ୧୦୦ମିଟର ପରିଧି ଭିତରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ । ତେବେ ନ୍ୟାସନାଲ ମନୁମେଣ୍ଟର ଅନୁମତି ନିଆ ନଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ସେଠାରେ ବ୍ୟାପକ ନିର୍ମାଣ ଓ ଭଙ୍ଗାରୁଜା କାର୍ଯ୍ୟ ଚାଲିଛି ।

ସେପଟେ ଏହାକୁ କାଉଣ୍ଟର କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ହେରିଟଜ୍ କରିଡର ପ୍ରକଳ୍ପରେ କେବଳ ୪ଟି ଶୌଚାଳୟ ନିର୍ମାଣ ଚାଲିଛି । ଏହାସହ ସେ କହିଛନ୍ତି, ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ କୌଣସି ଖନନ କାର୍ଯ୍ୟ ଚାଲୁନାହିଁ । ଓଡ଼ିଶାରେ କୌଣସି ବେଆଇନ କାମ ହୁଏ ନାହିଁ । ଯେଉଁଥିପାଇଁ ୨୨ ବର୍ଷ ଧରି ଓଡ଼ିଶାରେ ନବୀନଙ୍କ ସରକାର ରହିଛି ।

ତେବେ ବେଆଇନ ପ୍ରକଳ୍ପକୁ ନେଇ ସଂସଦରେ ଏତେ ବଡ଼ ଡାହା ମିଛ କିପରି କହିଲେ ସାଂସଦ? ପବିତ୍ର ପୁରୀର ସାଂସଦ ହୋଇ ମଧ୍ୟ ଜଗନ୍ନାଥଙ୍କ ପ୍ରକଳ୍ପକୁ ନେଇ ଏତେ ବଡ଼ ମିଛ କାହିଁକି? କେବଳ ପିନାକୀ ନୁହଁନ୍ତି ଅପରାଜିତା ସଢଙ୍ଗୀ ପ୍ରସଙ୍ଗ ଉଠାଇ ଦେଇ କୌଣସି ଗୌରବ୍ୱାନ୍ୱିତ କାମ କରି ନାହାନ୍ତି । ସେ ଏହି ପ୍ରକଳ୍ପକୁ ନେଇ ସଂସଦରେ ଅଧାପନ୍ତରିଆ କଥା ଉଠାଇଛନ୍ତି । ସେ ଯଦି ତାଙ୍କ ଅଭିଯୋଗ ରଖିବା ବେଳେ ସରକାରଙ୍କ ପ୍ରକଳ୍ପ ଓ ମାଷ୍ଟରପ୍ଲାନକୁ ସଠିକ୍ ଭାବେ ଉପସ୍ଥାପନ କରିପାରିଥାନ୍ତେ, ହୁଏତ ପିନାକୀ ମିଶ୍ର ସଂସଦରେ ଏତେ ବଡ଼ କଳା ମିଛ କହିବାକୁ ସାହାସ କରିନଥାନ୍ତେ ।

Leave a Reply

Your email address will not be published. Required fields are marked *