Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ

ବ୍ରଜରାଜନଗର (ଦ କୁଇଭର): ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ । ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅଞ୍ଚଳରେ ଘଟିଥିବା ଡବଲ୍ ମର୍ଡର ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ରାୟଗଡ଼ ସେସନ୍ସ କୋର୍ଟ ମାମଲାକୁ ବିଚାର କରି ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଅନ୍ୟତମ ଅଭିଯୁକ୍ତ ତଥା ଅନୁସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅଞ୍ଚଳରେ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍ଲିଙ୍କୁ ଅତି ବୀଭତ୍ସ ଭାବେ ଗାଡ଼ି ମଡ଼ାଇ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୁଲିସ୍ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ୨୦୨୦ ଫେବ୍ରୁଆରୀ ୧୩ ତାରିଖରେ ଗିରଫ କରିଥିଲା। ତେବେ ଜେଲ୍ରେ ଥିବା ବେଳେ ହଠାତ୍ ଅନୁପ ଅସୁସ୍ଥ ହୋଇପଡ଼ିଥିଲେ। କିଛି ଦିନ ଚିକିତ୍ସା ପରେ ସେ ପୁଣି ଥରେ ଜେଲ୍କୁ ଫେରିଥିଲେ।

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ସାକ୍ଷୀଙ୍କ ବୟାନ୍ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ରାୟଗଡ ସେସନ୍ସ କୋର୍ଟ ମାମଲାକୁ ବିଚାର କରି ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ତାଙ୍କ ଡ୍ରାଇଭରଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ।

Exit mobile version