ମାଡ଼ି ଆସୁଛି ଆଉ ଏକ ଲଘୁଚାପ: ଆଜିଠୁ ଢାଳିବ

ଭୁବନେଶ୍ୱର (ଦ କୁଇଭର): ଘନଉଛି ଆଉ ଏକ ଲଘୁଚାପ । ଆସନ୍ତା ୬ ତାରିଖରେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଲଘୁଚାପ ରୂପ ନେବ ନା ବାତ୍ୟା ରୂପ ନେବ ତାହା ସ୍ପଷ୍ଟ ହୋଇନି । କିନ୍ତୁ ଏହାର ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହୁଛି । ଦକ୍ଷିଣ ଆଣ୍ଡାମାନ ସାଗର ଓ ତା’ର ଆଖପାଖ ଅଞ୍ଚଳରେ ଏହି ଘୂର୍ଣ୍ଣିବଳୟର ସୂତ୍ରପାତ ହେବ ବୋଲି ଅନୁମାନ କରାଯାଉଛି ।

ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୨୪ ଘଣ୍ଟା ପରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପ୍ରଭାବରେ ଆଣ୍ଡାମାନ ସାଗର ଆଖପାଖ ଅଞ୍ଚଳରେ ବର୍ଷା ଓ ପବନ ସମ୍ଭାବନା ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି । ଏପଟେ ରାଜ୍ୟରେ ଆଗାମୀ ୪,୫ ଦିନ ପର‌୍ୟ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । କିନ୍ତୁ ଉପକୂଳ ଓଡ଼ିଶାରେ ବଙ୍ଗୋପସାଗର ସାମୁଦ୍ରିକ ବାୟୁ ପ୍ରଭାବରେ ସକାଳ ଓ ମଧ୍ୟାହ୍ନ ପର୍ଯ୍ୟନ୍ତ ପାଗ ମେଘୁଆ ରହୁଛି।

ରାତିରେ ପବନ ବହୁଛି। ବିଶେଷ ତାତି ରହୁନି। ଏହି ସ୍ଥିତି ଆଗାମୀ ୩, ୪ ଦିନ ପର‌୍ୟ୍ୟନ୍ତ ରହିବ । ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସୂଚନାନୁସାରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

Leave a Reply

Your email address will not be published. Required fields are marked *