Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ସମ୍ପତ୍ତି ସୁରକ୍ଷା ପାଇଁ ତୁନି ପଡ଼ିଛି ପୁରୁଖା ସେବକ

ପୁରୀ (ଦ କୁଇଭର): ବଡ଼ ଦେଉଳ ପ୍ରତି ବିପଦ ସୃଷ୍ଟି କରୁଛନ୍ତି ସରକାର । ଏଏସଆଇର ବାରଣ ସତ୍ୱେ ବି ମାନୁ ନାହାନ୍ତି । ଏପରି ସ୍ଥିତିରେ ଚୁପ କାହିଁକି ସେବାୟତ? କ’ଣ ପାଇଁ ମୁହଁ ବନ୍ଦ କରିଛନ୍ତି ସେମାନେ? ବଡ଼ ଦେଉଳ ଓ ବଡ଼ ଠାକୁରଙ୍କ ପାଇଁ ଜୀ…ଜାନ୍… ଲଗାଇ ସ୍ୱର୍ଣ୍ଣିମ ଇତିହାସ ସୃଷ୍ଟି କରିଥିବା ସେବକଙ୍କ ବଂଶଧରମାନେ କ’ଣ ଚେତା ହରାଇଛନ୍ତି କି? ଏମାନେ ସେହି ମହାନ ସେବକଙ୍କ ଦାୟଦ ନା କୁଳାଙ୍ଗାର? ଏକଥା ନେଇ ଏବେ ଜୋର ଚର୍ଚ୍ଚା ।

ବଡ଼ ଦେଉଳରେ କିଛି ବି ହେଲେ ଆଗ ହୁରି ପକାନ୍ତି ସେବକମାନେ । ବଡ଼ ଦେଉଳ ଓ ମହାପ୍ରଭୁଙ୍କ ସୁରକ୍ଷାର ଟ୍ରେଡ ମାର୍କ ଏମାନଙ୍କର ବୋଲି ଦାବି କରନ୍ତି । ଗଣମାଧ୍ୟମ ଆଗରେ ଏମାନେ ବଡ଼ ଦେଉଳର ଠିକାଦାର ବୋଲି ଦେଖାନ୍ତି । ହେଲେ ଏତେବଡ଼ ଘଡ଼ିସନ୍ଧି ମୁହୂର୍ତ୍ତରେ ଲାଙ୍ଗୁଡ଼ ଜାକିଛନ୍ତି କାହିଁକି? କିଛି ପୁରୁଖା ତ ଆଗ ବିରୋଧ କଲେ, ଏବେ ୟୁ ଟର୍ଣ୍ଣ ମାରି ଭଲ ପ୍ରସ୍ତାବ ବୋଲି କହିଲେଣି ।

ସେବାୟତମାନଙ୍କ ଏହି ଆଭିମୁଖ୍ୟ ପଛର ରହସ୍ୟ ହେଉଛି ଦୁଇ ନମ୍ବିରୀ କାମ ବୋଲି ଚର୍ଚ୍ଚା ହେଉଛି । ଯଦି ପୁରୁଖା ସେବକ ମାନଙ୍କ ସ୍ଥିତି ଦେଖିବା ତେବେ ସ୍ପଷ୍ଟ ହୋଇଯିବ ଚିତ୍ର । ସବୁ ପୁରୁଖାଙ୍କ ପଛ ମଇଳାରେ ସାଲୁ ବାଲୁ, ସେମାନେ କ’ଣ ମୁହଁ ଖୋଲି ପାରିବେ? ଏକଥା ଆମେ କହୁନାହୁଁ, ପୁରୀ ସାରା ଏହି ଚର୍ଚ୍ଚା ।

ଭିତର ସେବାୟତ ନିଯୋଗର ମୁଖିଆଙ୍କ ନାମରେ ଏକାଧିକ ହୋଟେଲ ବିବାଦ ରହିଛି । ଆପାର୍ଟମେଣ୍ଟକୁ ହୋଟେଲ କରିବା ଓ ସିଆରଜେଡ ଉଲଙ୍ଘନ କରିବା ଅଭିଯୋଗ ବି ରହିଛି । ଏହାପରେ ପୂଜାପଣ୍ଡା ନିଯୋଗ କଥା ଦେଖିବା, ତାଙ୍କ ମୁଖିଆଙ୍କର ସ୍ୱର୍ଗଦ୍ୱାରରେ ଥିବା ଦୋକାନ କାଳେ ଆଇନ ସମ୍ମତ ନୁହେଁ । ସୁରକ୍ଷା କରିଡର ଭିତରେ କୋଠାଘର ବ୍ୟତୀତ ଆହୁରି କେତେ କ’ଣ ସମ୍ପତ୍ତିର ବିବାଦ ରହିଛି ।

ପ୍ରତିହାରୀ ନିଯୋଗ ମୁଖିଆଙ୍କର ଜଗା-ବଳିଆ ଲଜିଂ ବିବାଦ, ଷଣ୍ଢପୁରରେ ଜଙ୍ଗଲ ଜମି ଦଖଲ ବିବାଦ ବି ରହିଛି । ସୁଆର ମହାସୁଆର ନିଯୋଗର ସମ୍ପାଦକଙ୍କୁ ହତ୍ୟା କରାଯାଇଛି । ଏବେ ଅନ୍ୟତମ ପୁରୁଖା ଏହି କରିଡର ପ୍ରକଳ୍ପକୁ ବିରୋଧ କରୁଥିଲେ । ଏକାଧିକ ହୋଟେଲ ବିବାଦୀୟ ଥିବାରୁ ସେ ୟୁ ଟର୍ଣ୍ଣ ମାରିଦେଲେ । ଖୁଣ୍ଟିଆ ନିଯୋଗ ମୁଖିଆଙ୍କ ପଛରେ ଜନତା ସିନେମା ହଲ ଓ ଜଙ୍ଗଲ ଜମି ବିବାଦ ରହିଥିବା ଚର୍ଚ୍ଚା ହେଉଛି ।

ଆଉ ରହିଲେ ଛତିଶା ନିଯୋଗ ନାୟକ, ତାଙ୍କ ସମ୍ପର୍କୀୟମାନେ ଏକାଧିକ ଜମି କେଳେଙ୍କାରୀ, ଆପାର୍ଟମେଣ୍ଟ ନାମରେ ହୋଟେଲ ନିର୍ମାଣ କରିବା ଭଳି ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ରହିଛି । ଭିତରଚ୍ଛଙ୍କ ନାମରେ ଦେଉଳକୁ ଜିନ୍ସ ପିନ୍ଧି ସେବକ ବୋଲି ପ୍ରବେଶ କରିବା, ପୁଲିସଙ୍କୁ ମାରିବା ଭଳି ଅଭିଯୋଗ ବ୍ୟତୀତ ଅନେକ ଅଭିଯୋଗ ଅଛି । ପୁଷ୍ପାଳକ ନିଯୋଗ ମୁଖିଆଙ୍କ ନାମରେ ସିଆରଜେଡ ଜମି ବିବାଦ ଥିବା ଜୋର ଚର୍ଚ୍ଚା ।

ସେବାୟତଙ୍କ ଠିକାଦାର ଭାବେ ମୁହଁ ଦେଖାଉଥିବା ଅନେକ କିଛି ନା କିଛି ବେଆଇନ କାମରେ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ସାମିଲ ଥିବାରୁ ମୁହଁରେ କୋଲପ ମାରିଛନ୍ତି । ମୁହଁ ଖୋଲିଲେ, ସବୁ ବେପାର ଠପ କରିଦେବେ ବୋଲି କାଳେ ଚେତାବନୀ ମିଳିଛି । ସେଥିପାଇଁ ବଡ଼ ଦେଉଳକୁ ବିପଦରେ ପକାଇ ନିଜ ସମ୍ପତ୍ତି ସୁରକ୍ଷିତ ରଖିବାକୁ ତୁନି ପଡ଼ିଥିବା ସେବକମହଲରେ ଚର୍ଚ୍ଚା ହେଉଛି ।

Exit mobile version