Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

‘ଭଲ ଲାଗିଲାନି ବୋଲି ଚୁଲି ଭାଙ୍ଗିଦେଲା’

ପୁରୀ (ଦ କୁଇଭର): ଭାଙ୍ଗିଦେଲେ ପୁରୀ ଶ୍ରୀମନ୍ଦିର ରୋଷଘର ଚୁଲି । କିଏ ଭାଙ୍ଗିଲା ବରାଦି ଭୋଗ ଚୁଲି? ତାହାକୁ ନେଇ ଆଜି ପ୍ରେସ୍ମିଟ୍ କରି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ପୁରୀ ଏସପି କନୱର ବିଶାଲ ସିଂ । ଏହି ଘଟଣାରେ ଏବେ ସୁଦ୍ଧା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବାବେଳେ, ତାଙ୍କ ନାମ ଜେ. ମହାପାତ୍ର ବୋଲି ଜଣାପଡିଛି । ତେବେ ସେହି ବ୍ୟକ୍ତି ଜଣକ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆପଡା ଅଞ୍ଚଳର ବୋଲି ପୁରୀ ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପଟେ ପ୍ରାଥମିକ ପଚରାଉଚରାରୁ ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ୱୀକାର କରିନେଇଛନ୍ତି ବୋଲି ଏସପି କହିଛନ୍ତି।

ପୁରୀ ଏସପିଙ୍କ କହିବା ଅନୁଯାୟୀ, ସେହି ବ୍ୟକ୍ତି ଜଣକ ପ୍ରଥମେ ଶ୍ରୀମନ୍ଦିରରେ ପଶି ମହାପ୍ରଭୁଙ୍କ ଦର୍ଶନ କରିଥିଲା । ଏହାପରେ କୌଣସି କଥା ତାକୁ ଭଲ ନଲାଗିବା କାରଣୁ ସେ ଏପରି କାମ କରିଛି । ଏହାସହିତ ଗିରଫ ହେବା ପରେ ସେ ନିଜକୁ ଜଣେ ଜଗନ୍ନାଥଙ୍କ ଭକ୍ତ ବୋଲି ପୋଲିସକୁ ସୂଚନା ଦେଇଛି । ଅନ୍ୟପଟେ ପୁରୀ ପୋଲିସ ଅଭିଯୁକ୍ତକୁ ପଚାରଉଚରା କରୁଥିବା ବେଳେ କିଛି ତଥ୍ୟ ବର୍ତ୍ତମାନ ଗୋପନୀୟ ରଖାଯାଇଛି, ଯାହାକି ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ପୁରୀ ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ଖୋର୍ଦ୍ଧା ଅଞ୍ଚଳରୁ ଅଭିଯୁକ୍ତକୁ ଧରିଥିଲା ପୁରୀ ପୋଲିସ । ତାଙ୍କୁ ପୁରୀ ଆଣି ପଚରାଉଚରା କରାଯାଇଥିଲା । ସେ କାହିଁକି ରୋଷ ଘର ଚୁଲି ଭାଙ୍ଗିଲେ ସେନେଇ ପୋଲିସ ପଚରାଉଚରା କରିଥିଲା । ଗତ ୨ ତାରିଖ ଦିନ ଘଟିଥିଲା ଏହି ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ମହାଲକ୍ଷ୍ମୀଙ୍କ ରୋଷଘରେ ପଶି ୪୦ରୁ ଅଧିକ ଚୁଲି ଭଙ୍ଗା ଯାଇଥିଲା । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସପି କହିଛନ୍ତି ।

Exit mobile version