ଭୁବନେଶ୍ୱର (ଦ କୁଇଭର): ଦିଗହରା ହେଉଛି ରାଜ୍ୟ ବିଜେପି । ବିଜେପିର ବଢୁଛି ନେତୃତ୍ୱ କନ୍ଦଳ । ବିଧାୟକମାନେ ଦିଲ୍ଲୀ ଯାଇ ନେତା ଖୋଜୁଥିବା ବେଳେ ସାଙ୍ଗଠନିକ ଦଳର ନେତାମାନେ ମଧ୍ୟ ଦିଳ୍ଲୀରେ ଡେରା ପକାଇଛନ୍ତି । ବିଜେପିର ଏହି ଦୁଇ ଗୋଷ୍ଠୀର ଟଣାଓଟରା ମଧ୍ୟରେ ଦ୍ୱନ୍ଦରେ ତୃଣମୂଳ ସ୍ତରର କର୍ମୀମାନେ । ବର୍ତ୍ତମାନ ପ୍ରକୃତରେ ରାଜ୍ୟ ବିଜେପିର ନେତା କିଏ? କାହା ନେତୃତ୍ୱରେ ଆଗକୁ ବଢୁଛି ଦଳ? କିଏ ଧରିଛି ରାଜ୍ୟ ବିଜେପିର ମଙ୍ଗ? ତାକୁ ନେଇ ଏବେ ଚିନ୍ତା ବିଜେପି ନେତା ଓ କର୍ମୀ । ରାଜ୍ୟ ବିଜେପିରେ ଦେଖିବାକୁ ମିଳିଲାଣି କଂଗ୍ରେସର ସ୍ଥିତି ।

ପ୍ରଦେଶ କଂଗ୍ରେସର କଥା ଯଦି ମନେପକାଇବା, ତେବେ କଂଗ୍ରେସର ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ବିଧାୟକମାନେ ଅଲଗା ଦିଲ୍ଲୀ ଯାଉଥିବା ବେଳେ ସାଙ୍ଗଠନିକ ନେତାମାନେ ମଧ୍ୟ ନେତୃତ୍ୱ ପାଇଁ ଦିଲ୍ଲୀ ଦୌଡୁଥିଲେ । ଟିକେ ଟିକେ କଥାରେ ନେତା ଯାଇ ହାଇକମାଣ୍ଡଙ୍କ ପାଖରେ ଡେରା ପକାଉଥିଲେ । ଆଉ ଏଭଳି ଟଣାଓଟରା ମଧ୍ୟରେ କଂଗ୍ରେସ ଆଜି ତାର ଅସ୍ତିତ୍ୱ ହରାଇଛି । ଠିକ୍ ସମାନ ଅବସ୍ଥା ଦେଖିବାକୁ ମିଳୁଛି ରାଜ୍ୟ ବିଜେପିରେ । ବିଜେପି ମଧ୍ୟ ଠିକ୍ କଂଗ୍ରେସ ରାସ୍ତାରେ ଗତି କରୁଛି । ବିଜେଡିରେ ଓଡ଼ିଶାର ଏତେ ପ୍ରଭାବ ଯେ, ଜାତୀୟ ଦଳମାନେ ସେମାନଙ୍କ ଠିକଣା ପାଉନାହାନ୍ତି । କଂଗ୍ରେସ ଧୂଳିସାତି ହୋଇଯାଇଥିବା ବେଳେ ସେହି ରାସ୍ତାରେ ଏବେ ବିଜେପି ।
ରାଜ୍ୟ ବିଜେପିରେ ନେତୃତ୍ୱ ପାଇଁ ଦିଲ୍ଲୀ ଯାଇଥିଲେ ୨୦ ଜଣିଆ ବିଧାୟକ ଦଳ । ସେମାନେ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଆଉ ୨ଜଣ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ କିନ୍ତୁ କେବଳ ଆଶ୍ୱାସନା ଛଡ଼ା ତାଙ୍କୁ ଆଉ କିଛି ମିଳିନଥିଲା । ଏପରିକି ଓଡ଼ିଶା ବିଜେପିର ଶୀର୍ଷ ନେତା କୁହାଯାଉଥିବା ଧର୍ମେନ୍ଦ୍ର ବାବୁ ସେମାନଙ୍କୁ ୧୦ ଦେଖା ଦେଇଥିଲେ । ଯାହାଙ୍କୁ ନେତା ଭାବି ବିଧାୟକମାନେ ଦିଲ୍ଲୀ ଯାଇଥିଲେ, ସେଠାରେ ପହଞ୍ଚିବା ପରେ ହତାଶ ହୋଇଯାଇଥିଲେ । ଆଉ ଚିନ୍ତାରେ ପଡ଼ିଥିଲେ ଏମାନଙ୍କୁ ନେତୃତ୍ୱ ଦେବ କିଏ? କାହା ନେତୃତ୍ୱରେ ସେମାନେ ଆଗକୁ ବଢିବେ?

ଅନ୍ୟପଟେ ଦିଲ୍ଲୀରେ ଯାଇ ଡେର ପକାଇଛନ୍ତି ରାଜ୍ୟ ବିଜେପିର କିଛି ନେତା । ଦୀର୍ଘ ଦିନର ରାଜନୈତିକ ବ୍ୟସ୍ତତା ପରେ ଦିଲ୍ଲୀ ଯାଇଥିଲେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ସହ ରାଷ୍ଟୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ଭେଟିଥିଲେ ରାଜ୍ୟ ବିଜେପିର ତୁଙ୍ଗ ନେତା । ତେବେ ବିଧାୟକଙ୍କ ପରେ ସାଙ୍ଗଠନିକ ନେତୃତ୍ୱଙ୍କ ଦିଲ୍ଲୀ ଗସ୍ତରୁ ରାଜ୍ୟ ବିଜେପିର ଭବିଷ୍ୟତ ଜଳ ଜଳ ହୋଇ ଦିଶୁଛି ।

Leave a Reply

Your email address will not be published. Required fields are marked *