ପୁରୀ (ଦ କୁଇଭର): ରାଜ୍ୟ ସରକାର ଗୋଦରା । କୋଡ଼ୁଛି ଯେତିକି, ମାଡ଼ୁଛି ସେତିକି । ସବୁ ଆଇନ କାନୁନକୁ ଭାଙ୍ଗି ବେପରୁଆ ଭାବେ ଶ୍ରୀମନ୍ଦିର ଚତୁôଃପାଶ୍ୱର୍ରେ ଖୋଳିଦେଲେ ସରକାର । ଯାହାକୁ ନେଇ ସବୁଠି ବିରୋଧ ହେଲା । ଆଉ ପ୍ରଶାସନର ଏହି ଖନନ କାର୍ଯ୍ୟ ବେଆଇନ ବୋଲି ପ୍ରମାଣିକ ତଥ୍ୟ ପ୍ରମାଣ ସହ ପ୍ରଥମେ ନଜରକୁ ଆଣିଥିଲା କୁଇଭର । ପରେ ଅନ୍ୟାନ୍ୟ ଗଣମାଧ୍ୟମରେ ଏହା ଜୋର ଧରିଲା । ଶେଷରେ ଏଏସଆଇ ମଧ୍ୟ କହିଲା ଏହା ବେଆଇନ । ତା ପରେ ପ୍ରସଙ୍ଗ ଗଲା ବିଧାନସଭା ଓ ଲୋକସଭା । ସେଠାରେ ମଧ୍ୟ ପ୍ରକଳ୍ପକୁ ନେଇ କଳା ସତ କହିଲେ ସାଂସଦ ମହୋଦୟ । ବିଧାନସଭାରେ ମଧ୍ୟ ସବୁ ସତ କୁହାଗଲା ନାହିଁ । ସବୁଠି ବିରୋଧ ହେବାରୁ ହରଡଘଣାରେ ପଡ଼ିଲେ ସରକାର । ଏବଂ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଗଲା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପ । ଶେଷରେ ପ୍ରଶାସନ ଏବେ ଲାଙ୍ଗୁଡ଼ ଜାକିବା ଆରମ୍ଭ କରିଛି । ଗତକାଲି ଠାରୁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଖୋଳିଥିବା ଗାତକୁ ପୋତିବାରେ ବ୍ୟସ୍ତ । ଯେତିକି ଖର୍ଚ୍ଚ କରି ଖୋଳିଥିଲେ, ତା ଠାରୁ ଅଧିକ ଖର୍ଚ୍ଚ କରି ପୋତିବାରେ ଲାଗିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏହି ଖୋଳିବା ଓ ପୋତିବାରେ ଖର୍ଚ୍ଚ ହେଉଥିବା ଅର୍ଥ ଦେବ କିଏ? ଯଦି ଖୋଳିବାଟା ଆଇନ ସମ୍ମତ ଥିଲା, ପୋତିବାର ଆବଶ୍ୟକତା କ’ଣ ପଡ଼ିଲା? ଏଥିପାଇଁ ଜବାବ୍ କିଏ ଦେବ? ଜିଲ୍ଲାପାଳ ଦେବେ ନା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେବେ? ଯଦି ଅନୁମତି ନିଆଯାଇ ଖେଳା ଚାଲିଥିଲା, ତେବେ କାହିଁକି ଏଏସଆଇ ଏହାକୁ ବେଆଇନ କହିଲା? କାହା ବଳରେ ଏତେ ବଡ଼ ବଡ଼ ଗାତ ଖୋଲିଥିଲେ ସରକାର? କାହିଁକି ବଡ଼ ଦେଉଳକୁ ବିପଦକୁ ଠେଲିଦେବାକୁ ଚାଲିଛି ଷଡ଼ଯନ୍ତ୍ର? ବେଆଇନ ବୋଲି ପୋତିଦେଲେ ନା ପିଲର ଉଠିଗଲା ବୋଲି ପୋତିଦେଲେ? ଯଦି ଏହା ବେଆଇନ ବୋଲି ପ୍ରଶାସନ ପୂର୍ବରୁ ଜାଣିଥିଲା ତେବେ ପିଲର ହେବା ପୂର୍ବରୁ ପୋତିପାରିଥାନ୍ତେ । ସରକାରଙ୍କ ଏ ପ୍ରହସନ କ’ଣ ପାଇଁ? ଅନ୍ୟପଟେ ଯଦି ଏହାକୁ ପୋତା ଗଲା ତେବେ ଉତ୍ତର ଦ୍ୱାର ପଟେ କାମ ଆରମ୍ଭ ହୋଇନଥିବା ସ୍ଥଳକୁ ଖୋଳିବେ ନା ବନ୍ଦ କରିବେ? ଏଭଳି ଏନେକ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି ।

ଏହି ପ୍ରକଳ୍ପକୁ ନେଇ ପୁରୀ ସାଂସଦ ପିନାକୀ ମିଶ୍ର ସଂସଦରେ କଳା ସତ କହିବାକୁ ମଧ୍ୟ ପଛାଇଲେ ନାହିଁ । ପୁରୀ ସାଂସଦ ହୋଇ ମଧ୍ୟ ପୁରୀ ପ୍ରକଳ୍ପ ସ୍ଥଳକୁ ତ କେବେ ଯାଇନାହାନ୍ତି, କିନ୍ତୁ ସଂସଦରେ ଟେବୁଲ ବାଡେଇ କହିଲେ ଏଭଳି ବେଆଇନ କାର୍ଯ୍ୟ ନବୀନ ସରକାରରେ ହୁଏନାହିଁ । ତେବେ ପିନାକୀ ମିଶ୍ର ଏବେ ଉତ୍ତର ରଖିବେ କି, ସେ ସଂସଦରେ ଠିକ୍ କହିଥିଲେ କି ଭୁଲ? ଏବେ ପ୍ରକଳ୍ପ ବେଆଇନ ବୋଲି ପ୍ରମାଣିତ ହୋଇସାରଛି । ଖୋଦ୍ ପ୍ରଶାସନ ଏହାକୁ ପୋତିବାରେ ଲାଗିଛି । ଆଉ ପଛଘୁଞ୍ଚା ଦେଇଛନ୍ତି ସରକାର ।

Leave a Reply

Your email address will not be published. Required fields are marked *